Odiapua.com

ଲୁଟେରାଙ୍କ ଉତ୍ପାତରେ ଜିଲାବାସୀ ଆତଙ୍କିତ; ଘର, ମନ୍ଦିର ପରେ ଏବେ ନଜର ପଡିଛି ମଧ୍ୟାହ୍ନ ଭୋଜନ ଚାଉଳ ଉପରେ

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଏବେ ଚୋରି, ଡକାୟତି ଦୈନନ୍ଦିନ ଘଟଣା ପାଲଟିଛି। ବାସଗୃହ, ମନ୍ଦିର, ରାସ୍ତାଘାଟରୁ ଲଗାତର ଚୋରି ପରେ ଏବେ ବିଦ୍ୟାଳୟ ଗୁଡିକ ଉପରେ ଲୁଟେରାଙ୍କ ନଜର ପଡିଛି। ବିଦ୍ୟାଳୟର ରୋଷେଇ ଘରୁ ପିଲାମାନଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳ ଲଗାତର ଭାବେ ଲୁଟ୍ ଚାଲିଛି। ଏ ସଂପର୍କରେ ଥାନାରେ ଏତଲା ଦେଲାପରେ ମଧ୍ୟ ସୁଫଳ ମିଳୁନାହିଁ। ଚୋରି ହେଉଥିବା ବିଦ୍ୟାଳୟ ଗୁଡିକରେ ଗତ କିଛିଦିନ ଧରି ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ବିଦ୍ୟାଳୟ କର୍ତୃପକ୍ଷ ଚାଉଳ ଯୋଗାଇଦେବା ପାଇଁ ଡିଇଓ ଓ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଜିଲାପାଳଙ୍କୁ ଜଣାଅ ବୋଲି କହି ଦାୟିତ୍ୱ ଠେଲି ଦେଉଛନ୍ତି। ଏହିଭଳି ପରିସ୍ଥିତିରେ ନିଖିଳ ଉତ୍କଳ ପ୍ରାଥମିକ ସଂଘର ସଂପାଦକ ସମୀର କୁମାର ଜେନାଙ୍କ ନେତୃତ୍ୱରେ ଶିକ୍ଷକ ଗଣପତି ଜେନା, ସୁଶାନ୍ତ କୁମାର ଜେନା, ସତିଶ ଚନ୍ଦ୍ର ସାମନ୍ତ ପ୍ରମୁଖ ଶିକ୍ଷକମାନେ ଆଜି ସନ୍ଧ୍ୟାରେ ଜିଲାପାଳଙ୍କୁ ଭେଟି ଚୋରି ଘଟଣା ସଂପର୍କରେ ଅବଗତ କରାଇବା ସହ ଚାଉଳ ଯୋଗାଇଦେବା ପାଇଁ ଲିଖିତ ଆକାରରେ ଜଣାଇଛନ୍ତି। ସୂଚନାଯୋଗ୍ୟ ଧୁଷୁରୀ ଥାନା ଅନ୍ତର୍ଗତ ଜିଏମ୍‌ଏୟୁପିଏସ୍ ସ୍କୁଲ, ଛତିଶ ସାମିଲ ନନ୍ଦୋର ରେ ଗତ ତା ୦୬.୦୩.୨୫ ରିଖରେ ୧୦ କ୍ୱିଂଟାଲ ମଧ୍ୟାହ୍ନଭୋଜନ ଚାଉଳ ଓ ତା ୧୭.୦୧.୨୫ ରିଖରେ ୫ କ୍ୱିଂଟାଲ ଚାଉଳ ସହ ମୋଟର ପମ୍ପ, ଏକ୍ସାଇଡ୍ ବ୍ୟାଟେରୀ, ଏମ୍ପ୍ଲିଫାୟାର, ମାଇକ୍ ସେଟ, ଇନଭର୍ଟର ଆଦି ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା। ଏ ସଂପର୍କରେ ଧୁଷୁରୀ ଥାନାରେ ସ୍କୁଲର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମାହାଲି ଦୁଇଟି ଏତଲା ଦେଇଥିଲେ। ଏହାର କେଶ୍ ନଂ ୫୪୫/୨୫ ଅଟେ। ସେହିପରି ଦେଉଳଡିହ ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ସତିଶ ଚନ୍ଦ୍ର ସାମନ୍ତ ଧୁଷୁରୀ ଥାନାରେ ଗତ ତା ୨୧.୧୧.୨୪ ରିଖ ଓ ତା ୧୭.୦୨.୨୫ ରିଖରେ ଦୁଇଟି ଏତଲା ଦେଇଥିଲେ। ଯାହାର କେଶ୍ ନଂ ୨୭୫୫/୨୪ ଅଟେ। ୧୧ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ସହ ମୋଟର ପମ୍ପ ଓ ଅନ୍ୟାନ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ କରିଥିଲେ। ଏହାବ୍ୟତୀତ ପାଖାପାଖି କାଶିମପୁର ନୋଡାଲ ସ୍କୁଲ, ଶିବପୁର ପ୍ରାଇମେରୀ ସ୍କୁଲ, ବାହାରବିଲ ପ୍ରାଇମେରୀ ସ୍କୁଲ, କାକୁଡିଗଡିଆ ପ୍ରାଇମେରୀ ସ୍କୁଲ, କୋରୁଆ ନୋଡାଲ ସ୍କୁଲ, ଗୋବିନ୍ଦପୁର ନୋଡାଲ ସ୍କୁଲ ଗୁଡିକରେ କ୍ରମାଗତ ଭାବେ ଲୁଟେରାମାନେ ମଧ୍ୟାହ୍ନ ଭୋଜନ ଚାଉଳ ଲୁଟ୍ କରିଥିବାର ଜଣାଯାଇଛି।