Odiapua.com

ଲୁଗା ଦୋକାନ ସଟର ତାଲା ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ପୋଷାକ , ପୋଲିସ ତଦନ୍ତ ଜାରି

ହରିଚନ୍ଦନପୁର, ତା ୨୦ ଜୁନ୍ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଅନେକ ଦିନ ପରେ ପୁଣି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ସଟର ତାଲା ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଙ୍ଗବସ୍ତ୍ର । ସରକାରଙ୍କ ଲକଡାଉନ୍ ସମୟରେ ଦୋକାନ ଗୁଡ଼ିକ ତାଲାବନ୍ଦ ରହିଥିବାର ସୁଯୋଗ ନେଇ ପୁଣି ଚେଇଁ ଉଠିଲେ ଲୁଟେରା । ଖବର ମୁତାବକ ଗତ ଶନିବାର ବିଳମ୍ବିତ ରାତିରେ ହରିଚନ୍ଦନପୁର ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗୋପି କ୍ରିଷ୍ଣା ଡ୍ରେସ୍ ହାଉସରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସଟର ତାଲା ସହ ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କ୍ ଭାଙ୍ଗି ପକାଇ ଲକ୍ଷାଧିକ ଟଙ୍କାର ଡ୍ରେସ୍ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଶନିବାର ଓ ରବିବାର ସପ୍ତାହନ୍ତ୍ ସଟଡାଉନ୍ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି, ତାହାର ଫାଇଦା ଉଠାଇନେଲେ ଲୁଟେରା । ରବିବାର ସକାଳ ସମୟରେ ଉକ୍ତ ଦୋକାନରୁ ଚୋରି ହୋଇଥିବା ଘଟଣା ସ୍ଥାନୀୟ ଲୋକେ ଦେଖିବା ପରେ ମାଲିକ ଓ ପୋଲିସକୁ ଖବର ଦେଇଥିଲେ । ଦୋକାନର ସମ୍ମୁଖ ଧାନ ବିଲରେ ଡ୍ରେସ୍ ଗୁଡ଼ିକର ଖୋଳ ସହ କିଛି ଡ୍ରେସ୍ ଓ ଭଙ୍ଗା ସିସିଟିଭି କ୍ୟାମେରା ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣା ଦେଖିବା ପରେ ଦୋକାନ ମାଲିକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।