Odiapua.com

ଲିଭ ଇନ୍‌ ସମ୍ପର୍କରେ ପତି-ପତ୍ନୀ ପରି ରହୁଥିଲେ, ପୈତୃକ ସମ୍ପତ୍ତିରେ ଅଂଶୀଦାର ହେବେ ସେମାନଙ୍କ ସନ୍ତାନ – ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ଜୁନ୍ ୧୪, ୨୦୨୨ (ଓଡ଼ିଆ ପୁଅ) କେରଳ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ପୂର୍ବ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପଲଟାଇ ଦେଇଛନ୍ତି। କେରଳ ହାଇକୋର୍ଟଙ୍କର ପୂର୍ବ ନିଷ୍ପତ୍ତି ଅନୁଯାୟୀ, କୌଣସି ଅବୈଧ ପୁଅର ପୈତୃକ ସମ୍ପତ୍ତି ଉପରେ ଅଧିକାର ନାହିଁ। କିନ୍ତୁ ସୁପ୍ରିମକୋର୍ଟ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ଜଣେ ପୁରୁଷ ଏବଂ ମହିଳା ଏକାଠି ଦୀର୍ଘ ସମୟ ଧରି ରୁହନ୍ତି ତେବେ, ନିୟମ ଅନୁଯାୟୀ, ଏହାକୁ ବିବାହ ପରି ମାନାଯିବ ଏବଂ ସେମାନଙ୍କ ପୁଅକୁ ପୈତୃକ ସମ୍ପତ୍ତିରେ ଅଂଶ ମିଳିବାକୁ ବାରଣ କରାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ କେରଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ. ବିବାହର ପ୍ରମାଣ ପତ୍ରର ଅନୁପସ୍ଥିତିରେ ଏକାଠି ରହୁଥିବା ଜଣେ ପୁରୁଷ ଏବଂ ମହିଳାଙ୍କ ‘ଅବୈଧ’ ପୁଅ ପୈତୃକ ସମ୍ପତ୍ତିରେ ଅଂଶୀଦାର ହେବାର ଅଧିକାର ନାହିଁ।

ବିଚାରପତି ଏସ୍. ଅବଦୁଲ ନାଜିର ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଖଣ୍ଡପୀଠ, କହିଛନ୍ତି ଯେ, ଏହା ସ୍ପଷ୍ଟ ଯେ, ଯଦି ଜଣେ ପୁରୁଷ ଏବଂ ସ୍ତ୍ରୀ ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରୁହନ୍ତି ତେବେ ଏହାକୁ ବିବାହ ଭଳି ମାନାଯିବ। ସୁପ୍ରିମକୋର୍ଟ ୨୦୦୯ ରେ କେରଳ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି।

କ’ଣ ଥିଲା କେରଳ ହାଇକୋର୍ଟଙ୍କ ରାୟ
ପୂର୍ବରୁ କେରଳ ହାଇକୋର୍ଟ, ଜଣେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କ ପରେ ଜନ୍ମ ହୋଇଥିବା ପୁତ୍ରର ପୈତୃକ ସମ୍ପତ୍ତିରେ ଅଂଶଧନ ଦେବା ପାଇଁ ଏକ ବିଚାରାଧୀନ ତଳ କୋର୍ଟର ଆଦେଶକୁ ଖଣ୍ଡନ କରିଥିଲେ। ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ, ପିତାମାତା ଦୀର୍ଘ ଦିନ ଧରି ଏକାଠି ରହୁଥିବାର କୌଣସି ପ୍ରମାଣ ନାହିଁ। କେବଳ ଦସ୍ତାବିଜ ପ୍ରମାଣ କରେ ଯେ ଆବେଦନ କର୍ତ୍ତା ଉଭୟଙ୍କ ପୁଅ, କିନ୍ତୁ ସେ ଜଣେ ବୈଧ ପୁତ୍ର ନୁହଁନ୍ତି, ତେଣୁ ସମ୍ପତ୍ତି ଉପରେ ତାଙ୍କର ଅଂଶୀଦାରକୁ କୋର୍ଟ ମନା କରିଦେଇଥିଲେ।

ସୁପ୍ରିମକୋର୍ଟ ରାୟ
ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ଖାରଜ କରି କହିଛନ୍ତି ଯେ, ଯେତେବେଳେ ଜଣେ ମହିଳା ଏବଂ ଜଣେ ପୁରୁଷ ପ୍ରମାଣିତ କରିଛନ୍ତି ଯେ, ସେମାନେ ସ୍ୱାମୀ-ସ୍ତ୍ରୀ ଭାବରେ ଜୀବନ ଅତିବାହିତ କରିଛନ୍ତି, ସେତେବେଳେ ଆଇନ ଅନୁମାନ କରିବ ଯେ ସେମାନେ ବିବାହିତଙ୍କ ପରି ଏକତ୍ର ରହୁଥିଲେ।