Odiapua.com

ଲାୟନ୍ସ କ୍ଲବ ତରଫରୁ ସହାୟତା

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜର ଦୁସ୍ଥ ଓ ଅବହେଳିତ ବ୍ୟକ୍ତିମାନଙ୍କର ଅସୁବିଧା ସମୟରେ ସେମାନଙ୍କ ପ୍ରତି ସହାୟତାର ହସ୍ତ ପ୍ରସାରଣର ଚିନ୍ତାଧାରା ନେଇ ଗଠିତ ଭଦ୍ରକାଳୀ ଡିଭାଇନ ଲାୟନ୍‌ସ କ୍ଲବ ଗତ ୧ ମାସ ଧରି ଅର୍ଣ୍ଣପାଳଠାରେ ଗ୍ରାମୀଣ ଯୋଗ ଚିକିତ୍ସା ସହ ମାଗଣା ରକ୍ତ ପରୀକ୍ଷା କାର୍ଯ୍ୟକ୍ରମ କରାଯାଉଛି । କ୍ଳବର ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ଅକୁଣ୍ଠ ସମର୍ଥନ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି । ଏହି ଉତ୍ସାହ ଉଦ୍ଦୀପନା ମଧ୍ୟରେ କ୍ଳବର କର୍ମକର୍ତ୍ତା ଭଦ୍ରକ ଚରମ୍ପା ସ୍ଥିତ ମାନସିକ ବ୍ୟାଧିଗ୍ରସ୍ତ ଆବାସ ସିଆରଏସଆରର ଅନ୍ତେବାସୀମାନଙ୍କ ସହ ଦୀର୍ଘ ସମୟ ଅତିବାହିତ କରିବା ସହ ସେମାନଙ୍କୁ ବିଭିନ୍ନ କ୍ରୀଡା କୌତୁକ ଜରିଆରେ ଆମୋଦିତ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଡ. ଭଗବାନ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକାରୀ ଡିଭାଇନ ଲାୟନ୍ସ କ୍ଲବର ପ୍ରଥମ ସଭାପତି ଲାୟନ୍ସ ପର୍ଶୁରାମ ଦ୍ୱିବେଦୀ, ବର୍ତ୍ତମାନର ସଭାପତି ଲାୟନ୍ସ ସତ୍ୟେନ୍ଦୁ ରାୟମହାପାତ୍ର, କ୍ଲବର ବରିଷ୍ଠ ସଭ୍ୟ ବଳରାମ ଦିକ୍ଷିତ, ଏସ୍‌ବିଡି ସ୍କୁଲର ନିର୍ଦ୍ଦେଶକ ଲାୟନ ଦେବାଶିଷ ଦିକ୍ଷିତ ତଥା ତାଙ୍କ ପରିବାରବର୍ଗ, ଅନୁଷ୍ଠାନର କ୍ରୀଡା ପ୍ରଶିକ୍ଷକ ମନୋଜ ସାହୁ, ଲାୟନ ଅମ୍ବିକା ପ୍ରସାଦ ଦାସ, ଲାୟନ ସଞ୍ଜିବ ନାୟକ, ଲାୟନ ଅମର ମହାନ୍ତି ପ୍ରମୁଖ ଯୋଗ ଦେଇ ଅନ୍ତେବାସୀଙ୍କୁ ସୁଷମ ଖାଦ୍ୟ ଓ ଶୀତବସ୍ତ୍ର ପ୍ରଦାନ କରିଥିଲେ ।