Odiapua.com

ଲାଲ କରିଡରର ମେଧାବୀ ଜନଜାତିର ଝିଅ ସନ୍ଧ୍ୟା ସମରଥ ପାଇଲେ ଓଏଏସ

ମାଲକାନଗିରି,୨୦/୧୨ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାକୁ ୩୦ନମ୍ବର ଅନୁନ୍ନତ ଜିଲ୍ଲା କହି ଗୁରୁତ୍ୱ ଦେଉନଥିବା ବେଳେ ସେହି ଜିଲ୍ଲାର ମାଓପ୍ରବଣ ଅଞ୍ଚଳର ହଲବା ଆଦିବାସୀ ସମ୍ପ୍ରଦାୟର ସନ୍ଧ୍ୟା ସମରଥ ଓଡିଶା ପ୍ରଶାସନିକ ସେବା( ଓଏଏସ) ପରକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛନ୍ତି। ବୁଧବାର ଦିନ ଓଏଏସ ପ୍ରକାଶିତ ତାଲିକାରେ ସନ୍ଧ୍ୟା ଙ୍କ ସ୍ଥାନ ୯୨ ରେଙ୍କରେ ରହିଛି। ଜଣେ ଗରିବ ଆଦିବାସି ଝିଅ ବିନା କୋଚିଙ୍ଗରେ ଓଏଏସ ପାଇବା ଅନ୍ୟ ଛାତ୍ରୀଙ୍କ ପାଇଁ ପ୍ରେରଣା ଯୋଗାଇଛି। ଲାଲ କରିଡରର ମେଧାବୀ ଝିଅ ସିଏ। ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ। ଗାଁ ପାଇଁ ସେ ସାଜିଛନ୍ତି ସୁନାଝିଅ। ମାଲକାନଗିରି ମାଥିଲି ବ୍ଲକର ମାଓପ୍ରବଣ ସାଲିମି ଗାଁର ରାମଦେବ ସମରଥ ଓ ମାଆ ନିଳାବତୀ ସମରଥଙ୍କ ବଡ ଝିଅ ସନ୍ଧ୍ୟା ସମରଥ। ଦିନେ ଏହି ଗାଁରେ ପାଠ ପଢିବା ଓ ବିଭିନ୍ନ ଜ୍ଞାନ ଆହରଣ କରିବାକୁ ମାଓବାଦୀ ସୁଯୋଗ ଦେଇନଥିଲେ। ମୋବାଇଲ ଓ ଟିଭି ଦେଖିବାକୁ ବାରଣ କରୁଥିଲେ। ଯଦି କୌଣସି ଲୋକ ଫୋନ ବ୍ୟବହାର କରୁଥିଲେ ମାଓବାଦୀ ମୋବାଇଲ ଛଡାଇ ନେଇଯାଉଥିଲେ। ସେଠାରେ ସନ୍ଧ୍ୟା ପିଲାଟି ଦିନରୁ ପଞ୍ଚମ ଯାଏଁ ଗାଁ ସ୍କୁଲରେ ପଢିଥିଲେ। ଆଉ ତା’ପରେ ମାଲକାନଗିରି ନବୋଦୟ ସ୍କୁଲରେ ଯୁକ୍ତଦୁଇ ପର୍ଯ୍ୟନ୍ତ ପାଠ ପଢିଥିଲେ। ପରିବାରର ଆର୍ଥିକ ଅନାଟନ ସତ୍ୱେ ସେ ପାଠ ପଢିଥିଲେ। ପରେ ବିଜେବି କଲେଜରେ ଡିଗ୍ରୀ ହାସଲ କରିଥିଲେ। ବିନା କୋଚିଙ୍ଗରେ ସେ ଓଏଏସ ରେ ୯୧ ତମ ର୍ୟାଙ୍କରେ ଅଛନ୍ତି। ସେ ଏବେ କଟକ ରେଭେନ୍ସା କଲେଜରେ ଆଦିବାସି ସଂସ୍କୃତି ଉପରେ ଏମଫିଲ ପରେ ପିଏଚ୍ ଡ଼ି କରୁଛନ୍ତି। ତାଙ୍କ ପରିବାର ବାପା ମା ଙ୍କ ପ୍ରେରଣା ରେ ହିଁ ସେ ଆଗକୁ ଯାଇ ପାରିଛନ୍ତି। ତାଙ୍କ ବାପା ଜଣେ ଗରିବ ଚାଷୀ, ତାଙ୍କର ୩ ଭଉଣୀ ଓ ୨ ଭାଇ। ସେ ଘରର ବଡ଼ ଝିଅ। ସେ ହଲବା ଆଦିବାସି ସମ୍ପ୍ରଦାୟର ପ୍ରଥମ ଓଏଏସ ପାଇଥିବା ଝିଅ। ତାଙ୍କୁ ଯେକୌଣସି ପଦବୀରେ ରଖାଯିବ ସେ ସୁଚାରୁ ଭାବେ ତୁଲାଇବେ। ସୁଯୋଗ ଦିଆଗଲେ ସେ ପ୍ରଥମେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ଭାବେ କାମକରି ଗରିବ ଓ ଆଦିବାସିଙ୍କ ପ୍ରତି ଗୁରୁତ୍ୱ ଦେବେ। ଆଗକୁ ଆଇଏସ ପାଇଁ ପ୍ରସ୍ତୁତ ହେଉଛନ୍ତି। ଇଛା ଓ ଉଦ୍ୟମ ବଳରେ ସବୁକିଛି ସମ୍ଭବ ହୋଇପାରିବ ବୋଲି ଏକ ସ୍ୱତନ୍ତ୍ର ସାକ୍ଷାତ କାରରେ ସନ୍ଧ୍ୟା ସମରଥ କହିଛନ୍ତି।