Odiapua.com

ଲାଲବାହାଦୂର ସରକାରୀ ହାଇସ୍କୁଲରେ ନିଯୁକ୍ତି କର୍ମଶାଳା

କେନ୍ଦ୍ରାପଡ଼ା ୫ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ନିୟୋଜନ କାର‌୍ୟ୍ୟାଳୟ ଆନୁକୂଲ୍ୟରେ ଏବଂ ବାଗଦେବୀ ଚାରିଟେବୁଲ ଟ୍ରଷ୍ଟ ପରିଚାଳନାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ନିଯୁକ୍ତି କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଟ୍ରଷ୍ଟର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ଜେନା ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରିଣୀ କେ. ରୋଜା ଦୋରା ଯୋଗଦେଇ ଜିଲ୍ଲାରେ ଅଣନିଯୁକ୍ତିପ୍ରାପ୍ତ ଯୁବକଯୁବତୀମାନଙ୍କୁ ନିଯୁକ୍ତି ପାଇଁ ସର୍ବଦା ତାଙ୍କର ପ୍ରୟାସ ଜାରି ରହିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଭରତପୁର ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତ, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କ୍ଷେତ୍ର ସଂଯୋଜକ ଶିଶିର କୁମାର ସାହୁ କାର‌୍ୟ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଶିବିରରେ ୨୧୦ଜଣ ବେକାରୀ ଯୁବକଯୁବତୀ ଯୋଗଦେଇଥିଲେ। ବିଭିନ୍ନ କମ୍ପାନୀ ପକ୍ଷରୁ ଅଞ୍ଜନୀ ପଟ୍ଟନାୟକ, ନିଳୟ ଦାସ ଓ ପାର୍ଥ ବକ୍ସି ପ୍ରମୁଖ ଯୋଗଦେଇ ବେକାର ଯୁବକଯୁବତୀମାନଙ୍କୁ ଚୟନ ପ୍ରକ୍ରୀୟାରେ ମନୋନୀତ କରିଥିଲେ। ସାମାଜିକ କର୍ମୀ ଦିପକରଞ୍ଜନ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦେବଦତ ମଲ୍ଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଶିବିର ପରିଚାଳନାରେ ଟ୍ରଷ୍ଟର ସହଯୋଗୀ ଭାବେ ରଶ୍ମିରଞ୍ଜନ ରାଉତ, ଧ୍ରୁବ ଚରଣ ସ୍ୱାଇଁ, ବନ୍ଦନାରାଣୀ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ।