Odiapua.com

ଲାଗିରହିଛି ଧାନକିଣା ଅଚଳାବସ୍ଥା, ଫାଇଦା ନେଉଛନ୍ତି ରାଜ୍ୟ ବାହାର ବେପାରୀ, ଶୋଷଣର ଶିକାର ଚାଷୀ, ଏମ.ଆଇ. ସୁଖନିଦ୍ରାରେ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଧାନକିଣା ଅଚଳାବସ୍ଥା ଲାଗିରହିଛି । ଧାନକିଣା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ବିରୋଧ କରି ପଞ୍ଜିକୃତ ୧୬ଟି ଯାକ ମଣ୍ଡି ଧାନକିଣିବେ ନାହିଁ ବୋଲି ବ୍ଲକ ମାର୍କେଟିଂ ଇନିସପେକ୍ଟରଙ୍କୁ ଗତ ଶନିବାର ଲିଖିତ ଜଣାଇଥିଲେ । ଫଳରେ ଚଳିତ ବର୍ଷ କୌଣସି ମଣ୍ଡିରେ ଧାନକିଣା ସୋମବାର ସୁଦ୍ଧା ଆରମ୍ଭ ହୋଇନାହିଁ । ସମସ୍ୟାର ପ୍ରତିକାର ସମ୍ପର୍କରେ ବ୍ଲକ ମାର୍କେଟିଂ ଇନିସପେକ୍ଟର ସନ୍ଦିପା ଦାସଙ୍କ ସହ ଫୋନଯୋଗେ ବାରମ୍ବାର ଯୋଗଯୋଗ କରାଯାଇଥିଲେ ବି ଉତ୍ତର ମିଳିନଥିଲା । ଅନ୍ୟପକ୍ଷରେ ସରକାରୀ ମଣ୍ଡି ଧାନକିଣା ଆରମ୍ଭ ନହେବା ସୁଯୋଗର ଭରପୁର ଫାଇଦା ଉଠାଉଛନ୍ତି ସ୍ଥାନୀୟ ବେପାରୀ । ଚାଷୀଙ୍କ ଠାରୁ ବାକିରେ କ୍ୱିଣ୍ଟାଲ ପ୍ରତି ୧୭ଶହ ଟଙ୍କା ଦରରେ ଧାନ ସଂଗ୍ରହ କରି ଆନ୍ଧ୍ର ଓ ବେଙ୍ଗଲ ବେପାରୀଙ୍କୁ ଟ୍ରକ ଟ୍ରକ ଧାନ ପଠାଉଥିବା ଜଣାଯାଇଛି । ସ୍ଥାନୀୟ ବେପାରୀ, ଆନ୍ଧ୍ର ଓ ବେଙ୍ଗଲ ବେପାରୀ ମିଳିତ ଭାବେ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ ବ୍ଲକ ମାର୍କେଟିଂ ଇନିସପେକ୍ଟର ସୁଖନିଦ୍ରା ଯାଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମଣ୍ଡିର ପଞ୍ଜିକୃତ ଚାଷୀଙ୍କ ନିକଟକୁ ଧାନବିକ୍ରୟ ପାଇଁ ଟୋକନ ଆସି ସାରିଥିବାରୁ ସଂପୃକ୍ତ ଚାଷୀମାନେ ଧାନବିକ୍ରୟ ପାଇଁ ତତ୍ପର ହୋଇଉଠିଛନ୍ତି । ଘଟଣାର ଆଶୁ ସମାଧାନ ନହେଲେ ଚାଷୀ ଅସନ୍ତୋଷ ଉଗ୍ରରୂପ ନେବା ଆଶଙ୍କା ସୃଷ୍ଟି ହୋଇଛି ।