Odiapua.com

ଲଣ୍ଡନ କିଡ୍ସ ପ୍ରି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଥିବା ଲଣ୍ଡନ କିଡ୍ସ ପ୍ରି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍‌ଯାପିତ ହୋଇଛି । ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବକୁ ଜିଲା ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ତଥା ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଓ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ । ଅତିଥିମାନେ କୁନି କୁନି ପିଲାମାନଙ୍କ କ୍ରୀଡା ନିପୁଣତା ଓ ଉତ୍ସାହ ଦେଖି ଆନନ୍ଦ ପ୍ରକାଶ କରିଥିଲେ । ଡେପୁଟି କଲେକ୍ଟର ଶ୍ରୀ ମଣ୍ଡଳ ପିଲାମାନଙ୍କ କ୍ରୀଡା ନିମନ୍ତେ ଆବଶ୍ୟକ ହେଲେ ସରକାରୀ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିବାବେଳେ ଶ୍ରୀ ଦ୍ୱିବେଦୀ ତାଙ୍କର ବ୍ୟକ୍ତିଗତ ଉଦ୍ୟାନଟିକୁ ପିଲାମାନଙ୍କ କ୍ରୀଡାଙ୍ଗନ ନିମନ୍ତେ ବ୍ୟବହାର କରିବା ପାଇଁ ସମ୍ମତି ଦେଇଥିଲେ । ଅଭିଭାବକମାନଙ୍କ ସହ ସ୍ଥାନୀୟ ଅଂଚଳବାସୀ ଏଭଳି କ୍ରୀଡାକୁ ସହଯୋଗ କରିଥିବାବେଳେ କୁନି କୁନି ପିଲାଙ୍କ ମା’ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆଜି ଜିଲା କ୍ରୀଡା ଅଧିକାରୀ ପଦ୍ମନ ରାୟ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ପିଲାମାନଙ୍କୁ ପୁରସ୍କୃତ କରିଥିବାବେଳେ ସେମାନଙ୍କ ମା’ ମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ । ବିଶେଷକରି ଶ୍ରେଷ୍ଠ ମା’ ଭାବେ ଅଭିଭାବକ ଦୀପାଞ୍ଜଳି ମହାନ୍ତିଙ୍କୁ ଶ୍ରୀ ରାୟ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ସଂଗୁପ୍ତା ୟାସମିନ୍ ଓ ନିର୍ଦ୍ଦେଶକ ସେକ୍ ଅମିରୁଦ୍ଦିନ୍ ଏହି ଆୟୋଜନର ସମସ୍ତ ଶ୍ରେୟ ଅଭିଭାବକ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଦେଇଥିବାବେଳେ କୁନି କୁନି ପିଲାମାନଙ୍କୁ ଏ ପ୍ରକାର ତାଲିମ୍ ଦେଇପାରିଥିବା ସ୍କୁଲର କ୍ରୀଡା ଶିକ୍ଷୟିତ୍ରୀ ଅର୍ଚ୍ଚନା ବଳଙ୍କ ସମେତ ଶିକ୍ଷୟିତ୍ରୀ ସ୍ମିତା ତ୍ରିପାଠୀ, ରଶ୍ମିତା ସାହୁ, ବୀଣାପାଣି ଧୃପତି ଓ ଆରତୀ ବେହେରାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।