Odiapua.com

ଲଘୁଚାପ ଲଗାଣ ବର୍ଷାରେ ଧୋଇଗଲା ବୈତରଣୀ ନଦୀର ଶହେ ଫୁଟ୍‌ର ନଦୀବନ୍ଧ, ଷାଠିବାଙ୍କୁଡା ନଦୀବନ୍ଧରେ ସୃଷ୍ଟି ବିଶାଳ ଫାଟ ନେଇ ନଦୀକୂଳିଆ ଆତଙ୍କିତ

ଲଘୁଚାପ ଲଗାଣ ବର୍ଷାରେ ଧୋଇଗଲା ବୈତରଣୀ ନଦୀର ଶହେ ଫୁଟ୍‌ର ନଦୀବନ୍ଧ, ଷାଠିବାଙ୍କୁଡା ନଦୀବନ୍ଧରେ ସୃଷ୍ଟି ବିଶାଳ ଫାଟ ନେଇ ନଦୀକୂଳିଆ ଆତଙ୍କିତ
ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷାରେ ଏହି ଜିଲାର ଆରଡି ନିକଟସ୍ଥ ଷାଠିବାଙ୍କୁଡା ଠାରେ ଧୋଇଯାଇଛି ଶହେ ଫୁଟର ବୈତରଣୀ ନଦୀବନ୍ଧ । ଫଳରେ ବନ୍ଧରେ ଥିବା ପଥର ନଦୀ ଭିତରକୁ ଚାଲିଯିବା ସହ ବଡ ବଡ ଫାଟ ଦେଖାଦେଇଛି । ଯାହାକୁ ନେଇ ନଦୀକୂଳିଆ ଆତଙ୍କିତ ହୋଇପଡିଛନ୍ତି । ଉପରମୁଣ୍ଡ ଅର୍ଥାତ୍ ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଆସୁଥିବା ବଡ ବନ୍ୟାକୁ ନେଇ ଭୟଭୀତ ହୋଇପଡିଛନ୍ତି ଏହି ଅଂଚଳର ୪ଟି ପଂଚାୟତର ୨୦ଟି ଗ୍ରାମର ଲୋକେ । ବିଶେଷକରି ଚାଷ ନିମନ୍ତେ ଏବେ ଧାନତଳି କ୍ଷେତରେ ପଡୁଥିବାରୁ ବନ୍ୟାରେ ବହୁ କ୍ଷତି ହେବ ବୋଲି ଚାଷୀ ଏବେ ଚିନ୍ତାରେ ପଡିଛି । ଅନୁରୂପ ଆଖଣ୍ଡଳମଣି-କୁଆଖିଆ ୨୦ ନଂ ଜାତୀୟ ରାଜପଥର ବୋଡକ ନିକଟରେ ପାଖାପାଖି ୩ ଶହ ଫୁଟ୍‌ର ରାସ୍ତା ଗତବର୍ଷ ବନ୍ୟାରେ ଧୋଇଯାଇଥିବାରୁ ସ୍ଥାୟୀ ମରାମତି ବଦଳରେ ଏବେ ଅସ୍ଥାୟୀ ମରାମତି ହୋଇଥିବାରୁ ତାହା ବନ୍ୟାରେ ଭାସିଯିବାର ଆଶଙ୍କା ଦେଖାଦେଇଛି । ତେବେ ଜଳସେଚନ ବିଭାଗ ଏହି ଖବର ପାଇବା ପରେ ଧୋଇଯାଇଥିବା ବନ୍ଧକୁ ସୁରକ୍ଷା ଦେବାପାଇଁ ଯାଜପୁର ଜଳସଚେନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବାଲିବସ୍ତା ପକାଯାଉଥିବାର ଜଣାପଡିଛି ।