Odiapua.com

ଲଘୁଚାପ ବର୍ଷାରେ ବନ୍ୟା : ଯାଜପୁର ଜିଲ୍ଲାର ୩ଟି ସ୍ଥାନରେ ଭାଙ୍ଗିଲା ବନ୍ଧ

ଯାଜପୁର ୧୫ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ଲଘୁଚାପ ବର୍ଷା ଦ୍ୱାରା ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଲଘୁଚାପ ବର୍ଷା ଦ୍ୱାରା ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁ ଜିଲ୍ଲାର ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳରେ ବନ୍ୟା ଦ୍ୱାରା ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ଗତକାଲି ରାତିରେ ଜିଲ୍ଲାର ରସୁଲପୁର ବ୍ଲକ ବନ୍ଧଢିହ ପଂଚାୟତ କଣ୍ଡିଆ ବଣିଆସାହିଠାରେ ବ୍ରାହ୍ମଣୀ ନଦୀର ଘେରି ବନ୍ଧରେ ପାଖାପାଖି ୩୦ଫୁଟର ଘାଇ ସୃଷ୍ଟି ହୋଇଥିଲା। ଫଳରେ ଶତାଧିକ ପରିବାର ପ୍ରଭାବିତ ହୋଇଛନ୍ତି। ସେହିପରି ବରୀ ବ୍ଲକର ସାହୁପଡା ପଂଚାୟତ ମାଟିଆପଡା ଠାରେ ଆଜି ଭୋର ସମୟରେ ବ୍ରାହ୍ମଣୀର ମୁଖ୍ୟ ନଦୀବନ୍ଧରେ ଏକକାଳୀନ ୨ଟି ଘାଇ ସୃଷ୍ଟି ହୋଇଥିଲା। ଘାଇ ସୃଷ୍ଟି ହେବା ଫଳରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଘର ଭିତରେ ବନ୍ୟା ଜଳ ପ୍ରବେଶ କରିବା ପରେ ଲୋକେ ଜୀବନକୁ ବଞ୍ଚାଇ କିଏ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛି ତ ଆଉ କିଏ ସ୍କୁଲ ଘରେ ଆଶ୍ରୟ ନେଇଛି।

ବିପନ୍ନଙ୍କ ସହ ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏପଟେ ଗତବର୍ଷ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ବନ୍ଧଢିହ ଠାରେ ଘେରିବନ୍ଧ ଭାଙ୍ଗି ମୁଖ୍ୟ ବନ୍ଧ ମଧ୍ୟ ଭାଙ୍ଗିଥିଲା। ସେହିପରି ମାଟିଆପଡା ଠାରେ ମଧ୍ୟ ଘାଇ ସୃଷ୍ଟି ହୋଇଥିଲା। ତେବେ ଘାଇଗୁଡିକର ମରାମତି କରାଯାଇଥିବା ବେଳେ ବନ୍ୟା ଦ୍ୱାରା ପୁଣି ଘାଇ ଭାଙ୍ଗିବାକୁ ନେଇ ଅଂଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏପଟେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଘାଇସ୍ଥଳ ପରିଦର୍ଶନ କରିବା ସହ ବିପନ୍ନମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ନଦୀରେ ବନ୍ୟାଜଳ ହ୍ରାସ ପାଇଥିବାରୁ ସେଭଳି ବିପଦ ନାହିଁ। ବନ୍ୟା ଜଳ କମିବା ପରେ ତୁରନ୍ତ ଘାଇ ଗୁଡିକର ମରାମତି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।