Odiapua.com

ଲଘୁଚାପ ଜନିତ ଲଗାଣ ବର୍ଷାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୪ ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏବଂ ବିଭିନ୍ନ ଅଂଚଳରେ ଜଳବନ୍ଦୀ ହୋଇପଡିଛି । ବିଶେଷକରି ତଳିଆ ଅଂଚଳରେ ବନ୍ୟାଜଳ ପ୍ରବେଶ କରିଥିବାବେଳେ ଜିଲାର ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଂକେତ ୧୭.୮୩ ମିଟର ଅତିକ୍ରମ କରି ଆଜି ସନ୍ଧ୍ୟା ସୁଦ୍ଧା ୧୮.୩୦ ରେ ପହଞ୍ôଚଛି । ଫଳରେ ବନ୍ୟା ଆଶଙ୍କା ଦୃଢୀଭୂତ ହୋଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଜିଲାପାଳ ତ୍ରିଲୋଚନ ମାଝୀ ୨ଟି ଏନ୍‌ଡିଆରଏଫ୍ ଓ ୧ଟି ଓଡ୍ରାଫ୍ ଟିମ୍ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରାପ୍ତ ଖବର ମୂଳେ ସୋମବାର ରାତିରୁ ଅବିଶ୍ରାନ୍ତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କେବଳ ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି ଓ ବାସୁଦେବପୁରର ତଳିଆ ଅଂଚଳ ନୁହେଁ, ଭଦ୍ରକ ସହରର ତଳି ଓ ଖାଲୁଆ ଅଂଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପ୍ରବେଶ କରିଛି । ଏପରିକି ଖୋଦ୍ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଏବେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷାପାଣି ଲହଡି ମାରୁଛି । ଭଣ୍ଡାରିପୋଖରୀ ବ୍ଲକ୍ ସରସଦା ପଂଚାୟତ ପିରିପୁର ଗାଁରେ ବର୍ଷାଜଳ ଲୋକଙ୍କ ଘରେ ପ୍ରବେଶ କରିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗ୍ରାମର ପ୍ରାୟ ୨୦ ଟି ପରିବାର ଏବେ ଜଳବନ୍ଦୀରେ ଥାଇ ପିଲାଛୁଆଁଙ୍କୁ ଧରି ରାତି ଅନିଦ୍ରା ସହ ଭୋକ ଓପାସରେ ପଡିରହିଛନ୍ତି । ତେବେ ଜଳସ୍ତର ବଢୁଥିବାରୁ ତଳି ଅଂଚଳରେ ବସବାସ କରୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବୈତରଣୀ ନଦୀରେ ୩ ଗୋଟି ଏସ୍‌କେପ୍ ଦେଇ ବନ୍ୟାଜଳ ଜନବସତି ଓ ଚାଷଜମିକୁ ପ୍ରଭାବିତ କରିବାର ସମ୍ଭାବନା ରହିଥିବାରୁ ସମସ୍ତ ବ୍ଲକ୍‌ରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଆବଶ୍ୟକ ହେଲେ ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଲାପାଳ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଉପର ମୁଣ୍ଡରେ ବର୍ଷା କମିଥିବାରୁ ଓ କାନପୁର ଡ୍ୟାମ୍‌ର ଖୋଲିଥିବା ଦୁଇଟି ଗେଟ୍‌ରୁ ଗୋଟିଏ ଗେଟ୍ ବନ୍ଦ କରାଯାଇଛି । ତେବେ ଉପର ମୁଣ୍ଡର ବର୍ଷା ଉପରେ ଜିଲା ପ୍ରଶାସନ ନଜର ରଖିଛି ।