Odiapua.com

ଲଘୁଚାପ ଜନିତ ବର୍ଷାରେ ସହରର ତଳିଆ ଅଞ୍ଚଳରେ ପସିଲା ବର୍ଷା ପାଣି

କେନ୍ଦ୍ରାପଡ଼ା, ୧୪ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପ୍ରାୟ ୩/୪ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ବସ୍ତି ଓ ଗ୍ରାମ ଗୁଡିକରେ ବର୍ଷା ପାଣି ପସିଯିବା ଫଳରେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି। ସହରର ଜୟୀପୁରା, କୁମାରିଆ, କମାରଖଣ୍ଡି, କନିଆଜୋରୀ, ରଣପଡା, ହଜାରି ବଗିଚା, ସୁଇପର କଲୋନୀ, ଖଡିୟଙ୍ଗ, ଦିଲାରପୁର, କୁରେସି ମହଲା, ମହିପାଳ, କଜଳା, ମୀରପାଟଣା, ଗୋପ ପ୍ରଭୃତି ଗ୍ରାମ ଏବଂ ବସ୍ତି ଗୁଡିକରେ ବର୍ଷାଜଳ ପଶିଯାଇଛି। ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କ ଘରେ ବର୍ଷା ପାଣି ପଶିଯିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମହିପାଳ ଗ୍ରାମର ସମବାୟବୀତ ପ୍ରମୋଦ ସାହୁଙ୍କ ଘର ପାଖକୁ ବର୍ଷା ପାଣି ଲାଗି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ଜୟୀପୁରା, କନିଆଜୋରୀ ଏବଂ କୁମାରିଆରେ ମଧ୍ୟ କେତେକ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଥିବା ସହ ସେ ଅଞ୍ଚଳରେ ଥିବା ରାସ୍ତା ଗୁଡିକ ମଧ୍ୟ ବର୍ଷା ପାଣିରେ ବୁଡି ରହିଥିବା ଦେଖାଯାଇଛି। ପୈାର ପରିଷଦ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ବର୍ହାଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ସହ ବ୍ଲିଚିଂ ପାଉଡର ବଣ୍ଟନ କରାଯାଇଛି। ଆଗକୁ ଯଦି ବର୍ଷା ଲାଗି ରହେ ତେବେ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।