Odiapua.com

ଲଗାଣ ବର୍ଷାରେ ଫୁଲୁଛି ରେବ-କପାଳି, କୋଠାର-ଅସୁରାଳୀ ରାସ୍ତାରେ ଚାଲିଲା ବନ୍ୟା ଜଳ, ୫ ପଂଚାୟତର ୧୫ ଗାଁ ପ୍ରଭାବିତ, ଆତଙ୍କରେ ୨୦ ହଜାରରୁ ଅଧିକ ଲୋକ

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାଣ ବର୍ଷା ପ୍ରଭାବରେ ଧାମନଗର ଅଂଚଳର ରେବ ଓ କପାଳି ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବନ୍ୟା ପରିସ୍ଥିତି ଉପୁଜିଛି। ନଦୀ ଦୁଇଟି ଫୁଲିବା ସହ ବନ୍ୟା ଜଳ ବିଭିନ୍ନ ଗ୍ରାମ ଓ ଚାଷଜମିରେ ପ୍ରବେଶ କରିଛି। କୋଠାର-ଅସୁରାଳୀ ମୁଖ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯାତାୟାତ ବ୍ୟାହତ ହୋଇଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ବନ୍ୟା ପ୍ରଭାବରେ ଧାମନଗର ବ୍ଲକର ଭଗବାନପୁର, କୋଠାର, ଅସୁରାଳୀ, ଗଡ଼ିଆଆଳି, ଫତେପୁର ଓ କାଶିମପୁର ପଞ୍ଚାୟତର ପ୍ରାୟ ୩୦ରୁ ଉର୍ଦ୍ଧ ଗାଁର ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଅନେକ ସ୍କୁଲରେ ବନ୍ୟା ଜଳ ପସିଥିବା ବେଳେ ମଧ୍ୟାହ୍ନ ଭୋଜନ ରୋଷେଇ ସମସ୍ୟା ସୃଷ୍ଚି ହୋଇଛି। ଫଳରେ ଗ୍ରାମବାସୀ ମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସତର୍କ ରହିଛନ୍ତି।ଅନ୍ୟପକ୍ଷରେ କୋଠାର-ଅସୁରାଳୀ ରାସ୍ତା ଉପରେ ବନ୍ୟା ଜଳ ଚାଲୁଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଜଳସ୍ତର ଆହୁରି ବୃଦ୍ଧି ପାଇଲେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଉଥିବା ବେଳେ ନଦୀକୂଳବର୍ତୀ ଅଂଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରେବ ଓ କପାଳି ନଦୀର ଜଳସ୍ତର ଆହୁରି ବଢ଼ିଲେ ଧାମନଗର ଅଂଚଳରେ ବନ୍ୟା ସ୍ଥିତି ଉତ୍କଟ ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି।