ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୌସୁମୀ ସକ୍ରିୟ ଓ ଲଘୁଚାପ ପ୍ରଭାବରେ ଗତ ସୋମ୍ୱାର ମଧ୍ୟରାତ୍ରରୁ ଲାଗି ରହିଥିବା ଲଗାଣ ବର୍ଷାରେ ପୁଣି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ଓ ଦକ୍ଷିଣ ଦ୍ୱାର ନିକଟରେ ଲହଡ଼ି ମାରିଲା ନର୍ଦ୍ଦମା ପାଣି। ତାହାସହ ପାଣିପାଗର ଆକଳନ ଅନୁଯାୟୀ ଚାନ୍ଦବାଲିରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଆରଡି ପୀଠରେ ମଧ୍ୟ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଦୀର୍ଘ ୨ମାସ ହେବ ମନ୍ଦିର ବେଢ଼ା ଚତୁଃପାର୍ଶ୍ୱ ସହ ମୁଖ୍ୟ ବଜାର ରାସ୍ତାରେ ଭଙ୍ଗା ହୋଇଥିବା ବଡ଼ବଡ଼ କୋଠା ଘରର ଇଟା, କଂକ୍ରିଟ ଆଦି କୁଢକୁଢ ପଡି ରହିଥିବାରୁ ମୁଖ୍ୟ ଡ୍ରେନ ଓ ସାହି ଡ୍ରେନ ଗୁଡିକ ପୋତି ହୋଇପଡିଛି। ଯାହାକି ସାମାନ୍ୟ ବର୍ଷା ହେଲେ ନର୍ଦ୍ଦମା ପାଣି ସିଧାସଳଖ ଭାବେ ଯାତାୟତ ରାସ୍ତା ଦେଇ ମନ୍ଦିର ବେଢ଼ାକୁ ପ୍େର୍ୱଶ କରିବାରୁ ମନ୍ଦିର ବେଢ଼ା ଓ ଦକ୍ଷିଣ ଦ୍ୱାର ସମ୍ମୁଖରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି। ଏହି ଅଳିଆ ଆବର୍ଜନା ପାଣିରେ ପଶି ସେବାୟତ ନୀତି ଭୋଗ ନେଇ ଯାଆଆସ କରିବା ସହ ଆଗନ୍ତୁକ ଭକ୍ତମାନେ ମଧ୍ୟ ସେହି ନର୍ଦ୍ଦମା ପାଣିରେ ପଶି ବାବାଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଉଛନ୍ତି। ଆଗକୁ ଶ୍ରାବଣୀଯାତ୍ରା ଥିବାରୁ ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କ ଭିଡ଼ ଲାଗିବ ପୀଠରେ, ହେଲେ ପ୍ରଶାସନ ଆଗନ୍ତୁକ କାଉଡିଆଭକ୍ତମାନଙ୍କର ସମସ୍ତ ସୁବିଧା ପାଇଁ ଜିଲ୍ଲାସ୍ତରୀୟ ବୈଠକରେ ଆଲୋଚନା କରି ଚୁପ ହୋଇ ବସିଛି। ଆଗକୁ ଆହୁରି ବର୍ଷା ବଢିବ ବୋଲି ପାଣିପାଗ ପକ୍ଷରୁ ଆକଳନ କରାଯାଇଛି। ହେଲେ ପୀଠରେ ନାଳ ନର୍ଦ୍ଦମା ଆଦି ସଫା ନହୋଇ ପଡ଼ି ରହିଥିବାରୁ ଭକ୍ତମାନେ ନାନା ଅସୁବିଧାରେ ସମ୍ମୁଖୀନ ହେବେ ବୋଲି ଆଶଙ୍କା ଦେଖାଦେଇଛି। ସେହିପରି ଭଙ୍ଗା ହୋଇଥିବା ବଡ଼ବଡ଼ କୋଠା ଘର ସମ୍ପୁର୍ଣ୍ଣ ଭଙ୍ଗା ହୋଇନଥିବାରୁ ଭଙ୍ଗା କଂକ୍ରିଟ ଖଣ୍ଡ ଓ ଲୁହା ରଡ୍ ଓହଳି ରହିଛି। ସେହିପରି ଆଗନ୍ତୁକ କାଉଡ଼ିଆ ଭକ୍ତ କେଉଁଠି ସ୍ନାନ କରିବେ ଓ ଜଳଭାର ଉଠାଇବେ ତାହା ସ୍ଥିର ହୋଇ ପାରିନଥିବାରୁ ଦ୍ୱନ୍ଦରେ ପଡିଛନ୍ତି ସେବାୟତ। ଅନ୍ୟପଟେ ବିଗତ ୨ମାସ ହେବ ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ ପାଇଁ ପାଣି ଶୁଖା ହୋଇଥିଲେ ମଧ୍ୟ କାମ ଆରମ୍ଭ ହେବା ତ ଦୂରର କଥା ପୀଠର ସମସ୍ତ ଅଳିଆ ଆବର୍ଜନା ବର୍ଷା ଦ୍ୱାରା ପଶୁଥିବାରୁ ପଚିସଢି ନର୍ଦ୍ଦମା ପାଲଟିଲାଣି। ତାହାସହ ପୁଷ୍କରିଣୀ ଚତୁଃପାର୍ଶ୍ୱରେ ମାସ ମାସ ଧରି ଅଳିଆ ଆବର୍ଜନା କୁଢକୁଢ ହୋଇ ପଡ଼ି ରହିଥିବାରୁ ତାହା ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଆଗକୁ ଯଦି ଡ୍ରେନ ଓ ଅଳିଆ ଆବର୍ଜନା ସଫା ନହେବ ପୀଠରେ ମହାମାରୀ ଭଳି ଅନେକ ରୋଗରେ ଶୀକାର ହେବେ ସ୍ଥାନୀୟ ଅଧିବାସୀ। ଏଥିପ୍ରତି ପୀଠ ଉନ୍ନୟନ କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଜିଲାପାଳ ଦୃଷ୍ଟି ଦେବା ସହ ଶ୍ରାବଣୀ ଯାତ୍ରା ପୂର୍ବରୁ ସଫେଇ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।