Odiapua.com

ଲକ୍ ଡାଉନ୍ ବେଳେ ବଢିବାରେ ଲାଗିଛି ଚୋରା ମଦ, ଅବକାରୀ ବିଭାଗ ସାବଧାନ ନ ହେଲେ ହୋଇପାରେ ଅଘଟଣ

କୋଦଳା ୨୪ ଏପ୍ରିଲ୍ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ କରାଯାଇଛି ।ରାଜ୍ୟରେ ମଧ୍ୟ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳରେ ଏବେ ନକଲି ମଦ କାରବାର ବଢିବାରେ ଲାଗିଛି। ଲକ୍ ଡାଉନ୍ କଟକଣା ଯୋଗୁଁ ଏବେ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଦେଶୀ ମଦ ଭାଟି ଠାରୁ ଆରମ୍ଭ କରି ବିଦେଶୀ ମଦ ଦୋକାନ ଓ ବାର୍ ଗୁଡିକ ସଂପୂର୍ଣ୍ଣ ବନ୍ଦ ରହିଛି। ଦୈନିକ ଲକ୍ଷ ଲକ୍ଷ ଟଙ୍କାର ମଦ ବ୍ୟବସାୟ ବନ୍ଦ ହୋଇଯାଇଛି। ଦୋକାନ ମାନଙ୍କରେ ଯାହା ସବୁ ଷ୍ଟକ ରହିଥିଲା ତାହାକୁ କିଛି ବ୍ୟବସାୟୀ ଲକ୍ ଡାଉନ୍ ପୂର୍ବରୁ ଦୋକାନରୁ ବାହାର କରି ଗଛ୍ଛିତ ରଖିଥିଲେ। ଗଛ୍ଛିତ ମଦ ଧୀରେ ଧୀରେ ସରିବା ପରେ ଏବେ ମଦ ଦୋକାନରେ ମଧ୍ୟ ଆଉ ଗଛ୍ଛିତ ମଦ ନାହିଁ। ଯାହା ଫଳରେ କି, ବ୍ୟବସାୟୀ ମାନେ ଭିଡା ମାଲ୍ ଅର୍ଥାତ୍ କିଛି ବଟିକା ଓ ସ୍ପିରିଟ୍ ମିଶାଇ ନକଲି ମଦ ତିଆରି କରି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ବର୍ତମାନ ଯାଏଁ ଅବକାରୀ ବିଭାଗ ଏନେଇ କୌଣସି ଚଢାଉ କରୁ ନ ଥିବା ଦେଖିବାକୁ ମିଳିଛି। ଅବକାରୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ କରାଯାଇ ବେଆଇନ ମଦ ବିକ୍ରି ସ୍ଥାନ ଚିହ୍ନଟ କରିବା ଏବଂ କର୍ମଚାରୀ ନିୟୋଜିତ କରି କଡା ନଜର ରଖିବାକୁ ମତ ପ୍ରକାଶ ପାଇଛି। ନଚେତ୍ ନକଲି ମଦ ପ୍ରସ୍ତୁତ ଓ ବିକ୍ରି ଉପରେ ଅଂକୁଶ ଲାଗିବା କଷ୍ଟକର। ଅଞ୍ଚଳର ବିଭିନ୍ନ ବିଭିନ୍ନ ନିଛାଟିଆ ସ୍ଥାନ ମାନଙ୍କରେ ଏହି ବ୍ୟବସାୟ ସୁରୁଖୁରୁରେ ଚାଲିଥିବା ଦେଖିବାକୁ ଡ୍ୟୁଟି କରୁଛି ଏବଂ କର୍ମଚାରୀ ଅଭାବ ଯୋଗୁଁ ମଦ ଉପରେ ନଜର ଦେବା କଷ୍ଟକର ହୋଇପଡୁଛି। ଏହିପରି ସ୍ଥିତିରେ ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ନିଜ କାମରେ ନିୟୋଜିତ କରିବା ଆବଶ୍ୟକ ହୋଇ ପଡିଛି। ଯଦି ଚୋରା ଓ ନକଲି ମଦ କାରବାର ରୋକା ନ ଯିବ ତେବେ କୌଣସି ମୂହୁର୍ତ୍ତରେ ମଦ ମୃତ୍ୟୁର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।