Odiapua.com

ଲକ୍‌ଡାଉନ୍ ଛଡାଇ ନେଲା ରୋଜଗାର : ମୁଣ୍ଡ ବୃଦ୍ଧି ପାଉଥିବା ପୁଅର ଚିକିତ୍ସାରେ ଅର୍ଥ ବାଧକ

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭାଘର ବ୍ରତଘର ଆଦିରେ ରୋଷେଇ କଲେ ପରିବାର ଚଳେ, ହେଲେ କରୋନା ପାଇଁ ତାହା ଦୀର୍ଘଦିନ ହେଲା ବନ୍ଦ ହୋଇଯାଇଛି। ଏପଟେ ୧୪ ମାସରେ ରୋଗାକ୍ରାନ୍ତ ପୁଅ। ଚିକିତ୍ସା କରିବାକୁ ଅର୍ଥ ନାହିଁ। ଏହିପରି ସଂକଟରେ ପଡିଛନ୍ତି ତିହିଡି ବ୍ଲକ୍ ଅଧୀନ ଦୋଳସାହି ପଂଚାୟତ ରାଢଙ୍ଗ ଗ୍ରାମ ୨ ନଂ ୱାର୍ଡର ମନୋଜ ଦୀକ୍ଷିତ୍। ପୁଅ ସାଇପ୍ରକାଶ ଜନ୍ମ ହେବା ପରେ ମୁଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ୧୪ ମାସ ମଧ୍ୟରେ ମୁଣ୍ଡଟି ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ଜନ୍ମ ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ସାମାନ୍ୟ ସୁଫଳ ମିଳିଥିବା ବେଳେ ପାଣି ଜମିଯାଉଥିବାରୁ ପୁଣି ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି। ପୁଅର ଚିକିତ୍ସା ପାଇଁ ନିୟମିତ ମାସିକ ଦଶରୁ ପନ୍ଦର ହଜାର ଟଙ୍କାର ଆବଶ୍ୟକତା ରହିଛି। ତେବେ ରୋଷେଇ କରି ଯାହା କିଛି ଅର୍ଥ ଉପାର୍ଜନ କରୁଥିଲେ, ତାହା ସହ ଧାର, କରଜ କରି ନିୟମିତ ପୁଅର ଚିକିତ୍ସା କରିଆସୁଥିଲେ। ଏବେ ରୋଷେଇ କାର୍ଯ୍ୟ ମିଳୁନଥିବାରୁ ସେ ଘରେ ଏକ ପ୍ରକାର ବସିରହିଛନ୍ତି। ମଝିରେ ମଝିରେ ଅସ୍ଥାୟୀ ପାନ ଦୋକାନ ଖୋଲି ଯାହା କିଛି ଅଳ୍ପ ରୋଜଗାର କରୁଛନ୍ତି। ଏପରି କ୍ଷେତ୍ରରେ ପୁଅର ଅସ୍ତ୍ରୋପଚାର ପାଇଁ ଅର୍ଥ ଯୋଗାଡ କରିବା ସମ୍ଭବ ନୁହେଁ। ଏପରି ଘଡିସନ୍ଧି ମୁହୂର୍ତ୍ତରେ ସେ ଯେଉଁଠାରୁ ଧାରକରଜ କରିଥିଲେ, ସେମାନେ ମଧ୍ୟ ପଇସା ମାଗିବାକୁ ଆରମ୍ଭ କଲେଣି। ସ୍ତ୍ରୀର ଗହଣା ମଧ୍ୟ ପୂର୍ବରୁ ବିକ୍ରୟ କରିଦେଇଛନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଆକୁଳ ନିବେଦନ କରିଛନ୍ତି।