Odiapua.com

ଲକ୍‌ଡାଉନ୍‌ ଯୋଗୁ ଚାଷୀ ହତାଶ: ବିଲରେ ପଚୁଛି ପନିପରିବା, ଫୁଲ

ବାଲିଗୁଡା,୧-୪ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ସରକାର ଲକ୍‌ ଡ଼ାଉନ କଟକଣା ଜାରି କରିଛନ୍ତି। ଏହାଦ୍ୱାରା ଲୋକେ କାମଧନ୍ଦା ହରାଇଛନ୍ତି। ଅନ୍ୟ ରାଜ୍ୟରୁ ଆସି ବାଲିଗୁଡା ବ୍ଲକରେ ରହିଯାଇଥିବା ଏକାଧିକ ଅଣଓଡ଼ିଆ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ସରକାରଙ୍କ ମୁଠାଏ ଖାଦ୍ୟକୁ ସେମାନେ ଚାତକ ଭଳି ଚାହିଁ ବସିଛନ୍ତି। ଏଥିସହ ଗ୍ରାମାଞ୍ଚଳର ଅନେକ ଲୋକ ମଧ୍ୟ ସରକାରୀ ଖାଦ୍ୟକୁ ଚାହିଁ ବସିଛନ୍ତି। ଅନ୍ୟପଟେ ଚାଷୀଙ୍କ ଫସଲ ମଧ୍ୟ ଜମିରେ ପଚି ନଷ୍ଟ ହୋଇଯାଉଛି। ଫସଲ ତୋଳିବାକୁ ଶ୍ରମିକ ମିଳୁନାହାନ୍ତି। ଅମଳ କଲେ ମଧ୍ୟ ବଜାରରେ ନେଇ ବିକ୍ରି କରିବା ମଧ୍ୟ ସମ୍ଭବପର ହେଉନାହିଁ। କଟକଣାରୁ ଚାଷୀଙ୍କୁ ବାଦ୍‌ ଦିଆଯାଇଛି। ତଥାପି କେତେକ ସ୍ଥାନରେ ପୋଲିସ କର୍ମଚାରୀ ଘଉଡ଼ାଉଛନ୍ତି l ଯାହାକୁ ନେଇ ଚାଷୀ ଆଶଙ୍କାରେ। ଆଉ କେତକ ଚାଷୀ ପରିବା ତୋଳିବା ପରେ ଉପଯୁକ୍ତ ବଜାର ଅଭାବ ଯୋଗୁଁ ତାକୁ ବିକ୍ରି କରି ନ ପାରି ଗାଈ ଗୋରୁଙ୍କୁ ଖାଇବାକୁ ଦେଇ ଦେଉଛନ୍ତି। ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ଚାଷୀମାନେ ଦୈନନ୍ଦିନ ନିଜ ଜମିରୁ ବାହାରୁଥିବା ପରିବାକୁ ବର୍ତମାନ ଗାଈ ଗୋରୁକୁ ଖାଇବାକୁ ଦେଇ ଦେଉଛନ୍ତି। ଫୁଲ ଚାଷୀମାନେ ମଧ୍ୟ ଫୁଲ ଆଉ ତୋଳୁ ନାହାନ୍ତି। ଜମିରେ ଫୁଲ ଫୁଟି ନଷ୍ଟ ହୋଇଯାଉଛି।