Odiapua.com

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଫେରୁଛନ୍ତି କଳାହାଣ୍ଡିର ପ୍ରବାସୀ ଶ୍ରମିକ


କଳାହାଣ୍ଡି – ତା.୩୦.୦୫.୨୦୨୦ ( ଓଡିଆପୁଅ ) କଳାହାଣ୍ଡି ଜିଲ୍ଲାର ହଜାର ହଜାର ଶ୍ରମିକ ନିଜ ନିଜ ପେଟ ପାଟଣା ପାଇଁ ବିଭିନ୍ନ ରାଜ୍ୟ କୁ ଯାଇଥିବା ବେଳେ ସାଂପ୍ରତିକ ଲକଡାଉନ ସ୍ଥିତିରେ ଘରମୁହାଁ ହେଉଛନ୍ତି । ଦୀର୍ଘ ଦିନରୁ ଲକଡାଉନ ହେବାପରେ ବିଭିନ୍ନ ପ୍ରତିଷ୍ଠାନ ସବୁ ବନ୍ଦ ହୋଇଯାଇଥିବା ଜଣାପଡିଛି । ଫଳତଃ ପ୍ରବାସୀ ଶ୍ରମିକ ମାନେ ରୋଜଗାର ହରାଇବା ସହ ମହାମାରୀ ଭୟରେ ଘରବାହୁଡା ପାଇଁ ବ୍ୟଗ୍ର ହୋଇଉଠୁଥିବା ବେଳେ ମରିବୁ ଯଦି ପରିବାର ପାଖରେ ମରିବୁ ବୋଲି ମାସିକ ସ୍ତରରେ ବିଚାର କରି ବହୁ ଶ୍ରମିକ ନିଜ ନିଜ ଘରକୁ ଫେରୁଥିବା ଦେଖାଯାଉଛି । ସରକାର ସଂପୃକ୍ତ ପ୍ରବାସୀ ଶ୍ରମିକ ମାନଙ୍କ ଘରବାହୁଡା ପାଇଁ ବ୍ୟାପକ ବ୍ୟବସ୍ଥା କରୁଥିବା ପ୍ରଚାର ହେଉଥିବା ବେଳେ ଅଧିକାଂଶ ଶ୍ରମିକ ନିଜ ନିଜ ଖର୍ଚ୍ଚରେ ଗାଡି ଭଡା କରି ଫେରୁଥିବା ଅଭିଯୋଗ ମାନ ହେଉଛି ।
ପ୍ରବାସୀ ଶ୍ରମିକ ମାନଙ୍କୁ ଫେରିବା ପାଇଁ ଓଡିଶା ସରକାର ଅନଲାଇନ ପଂଜୀକରଣ ବ୍ୟବସ୍ଥା କରିବା ସହିତ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପଦାଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇଥିବା ଜଣାପଡିଛି । ଏତେ ସବୁ ବ୍ୟବସ୍ଥା ସତ୍ୱେ ଶହ ଶହ ଶ୍ରମିକ ଚାଲି ଚାଲି, ସାଇକେଲରେ, ଏପରିକି ବର୍ଷ ତମାମ କଷ୍ଟ କରି ଉପାର୍ଜନ କରି ସଂଚିଥିବା ଟଙ୍କା ଖର୍ଚ୍ଚ କରି ଗାଡି ଭଡା କରି ଘରକୁ ଫେରୁଥିବା ଦେଖାଯାଉଛି ।
ଗତ ୨୪ ତାରିଖ ଦିନ କଳାହାଣ୍ଡି ର ଧର୍ମଗଡ ବ୍ଲକ ହାତୀପଖାନ ଓ ବେହେରାଗୁଡା ଗ୍ରାମର ୪୩ ଜଣ ପ୍ରବାସୀ ଶ୍ରମିକ ଗୋଆରୁ ନିଜ ଖର୍ଚ୍ଚରେ ଏକ ବସ ଭଡା କରି ଧର୍ମଗଡ ଫେରିଥିଲେ । ଲକଡାଉନ ସ୍ଥିତିରେ କାମ ନଥିବାରୁ ଭୋକ ଉପାସରେ ଦିନ କାଟୁଥିବା ବେଳେ ନିଜ ପାଖରେ ପାଇସାପତ୍ର ନଥିବାରୁ ବସଭଡା ବାବଦକୁ ୧ଲକ୍ଷ ୯୫ ହଜାର ଟଙ୍କା ନିଜ ନିଜ ଘରୁ ଟଙ୍କା ମଗାଇ ପାଣାଜୀସ୍ଥିତ ସାଇ ଟୁର ଆଣ୍ଡ ଟ୍ରାଭେଲସ ର ଜିଏ.୦୩ ଡବଲୁ୍ୟ ୩୩୨୧ ନମ୍ବରର ଏକ ବସଯୋଗେ ଧର୍ମଗଡ ପହଂଚିଥିବା ଜଣାପଡିଛି । ଅନଲାଇନ ରେ ଆବେଦନ କରିଥିଲେହେଁ ସେମାନଙ୍କୁ କୌଣସି ସରକାରୀ ବ୍ୟବସ୍ଥା କରାଯାଇନଥିବାରୁ ନିଜ ଖର୍ଚ୍ଚ କରି ଫେରିଥିବା ଉକ୍ତ ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଜୟନ୍ତପୁର ଟିଏମସିରେ ରଖାଯାଇଥରବା ଜଣାପଡିଛି ।
ସେହିପରି ଦଣ୍ଡପାଟ ଅଂଚଳ ଛଂଚାଣ ବାହାଲି ଗ୍ରାମର ୪୦ ଜଣ ପ୍ରବାସୀ ଶ୍ରମିକ ଗୋଆ ର ରାଜଧାନୀ ପାଣାଜୀରୁ ୨ଲକ୍ଷ ୩୦ ହଜାର ଟଙ୍କା ଦେଇ ତାଜ ନେସନାଲ ଏକ୍ସପ୍ରେସ ରୁ ଏନଏଚ ୦୯-ସିଭି.୦୦୯୭ ନମ୍ବରର ଏକ ଘରୋଇ ବସ ଭଡା କରି ଧର୍ମଗଡ ଫେରିଥିବା ଜଣାପଡିଛି । ଅନଲାଇନରେ ପଂଜିିକରଣ କରିଥିଲେହେଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ଗାଡି ଭଡା ଦେବାକୁ ଫାକ୍ଟ୍ରୀ ମାଲିକ ଠାରୁ ଅଗ୍ରିମ ଆଣି ବସଭଡାକରି ଫେରିଥିବା ପ୍ରକାଶ । ସେମାନଙ୍କୁ ଛଂଚାଣବାହାଲି ଟିଏମସିରେ ରଖାଯାଇଥିବା ପ୍ରକାଶ ।
ନିଜ ଖର୍ଚ୍ଚରେ ଫେରୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ରଖାଯାଉଥିଲେହେଁ ରାଜ୍ୟ ସରକାର ସେମାନଙ୍କ ଫେରିବା ବ୍ୟବସ୍ଥା କରିନଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।
ସରକାର ପଂଜୀକରଣ ଅନୁସାରେ ସେମାନଙ୍କ ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।