Odiapua.com

ଲକ୍ଷ୍ମଣରେଖା ବାହାରେ ଗଂଜେଇ ନିଶା!

ରାଉରକେଲା ୨୧-୫ (ଓଡ଼ିଆ ପୁଅ) : ରାଉରକେଲାରେ ଚୋରାରେ ଗଂଜେଇ କାରବାର ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାର କିଛି ନିର୍ଦ୍ଦିଷ୍ଟ ଅଂଚଳରେ ଗଂଜେଇ ବେପାର ଜୋର ଧରିଛି। କିଛି ଅସାମାଜିକ ବ୍ୟକ୍ତି ପଡୋଶୀ ଜିଲ୍ଲା କୋରାପୁଟ, ରେଢାଖୋଲ, କନ୍ଧମାଳ ଆଦିରୁ ଚୋରାରେ ଗଂଜେଇ ଆଣି ଏଠାରେ ବିକ୍ରି କରୁଥିବା ଜଣାପଡିଛି। କିଛି ନିର୍ଦ୍ଦିଷ୍ଟ ବସ୍ତି ଅଂଚଳର ଯୁବକ ମାନଙ୍କୁ ହାତ ବାରସି କରି ଏହି ବୋପାରୀ ମାନେ ଗଂଜେଇ କାରବାର କରୁଥିବା ଦେଖିବାକୁ ମିଳୁଛି। ଦକ୍ଷିଣ ରାଉରକେଲାର କିଛି ନିର୍ଦ୍ଦିଷ୍ଟ ପାନ ଦୋକାନରେ ଗଂଜେଇ ବିକ୍ରୀ ହେଉଥିବା ବେଳେ, ସାଧାରଣତଃ ୨୦ରୁ ବର୍ଷରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଯୁବପିଢୀ ଏହି ନିଶା ପ୍ରତି ବହୁ ମାତ୍ରାରେ ଆଗ୍ରହ ଦେଖାଉଛନ୍ତି। ଗଂଜେଇ ରଖୁଥିବା କିଛି ବେପାରୀ ସିଗାରେଟରେ ଗଂଜେଇ ଭର୍ତି କରି ସିଗାରେଟ ପିଛା ୫ରୁ ୧୦ଟଙ୍କାରେ ବିକ୍ରୀ କରୁଥିବା ଜଣାପଡିଛି। ସେହିଭଳି ଗଂଜେଇ ପୁଡିଆ ୨୦ରୁ ୩୦ ଟଙ୍କା ଦରରେ ବିକ୍ରୀ ହେଉଛି। ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଗଂଜେଇ କାରବାରକୁ ସୀମିତ ନରଖି ଏହି ବେପାରୀ ମାନେ ପ୍ରତିଦିନ ଜାଗା ପରିବର୍ତ୍ତନ କରିବା ସହ, ସାଇକେଲ ମାଧ୍ୟମରେ ଗଂଜେଇ କାରବାର କରୁଥିବା ଜଣାପଡିଛି। ରାଜ୍ୟ ବାହାରର କିଛି ଯୁବକ ମାନଙ୍କୁ ମଧ୍ୟ ଗଂଜେଇ କାରବାରରେ ନିୟୋଜିତ କରାଯାଇ ମୋଟା ଅଙ୍କର କମିଶନ ଦିଆଯାଉଛି। ଏହା ଫଳରେ ଏହି ଗଂଜେଇ କାରବାରରେ ସେମାନେ ସମ୍ପୃକ୍ତ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପୂର୍ବରୁ ସ୍ଥାନୀୟ ପୁଲିସ ପକ୍ଷରୁ ଚୋରା ଗଂଜେଇ କାରବାରକୁ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି।