Odiapua.com

ଲକ୍ଡାଉନ୍ ସମୟରେ ନୟାଗଡରେ ଅନାହାର ମୃତ୍ୟୁ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଜାକେଡା ପଂଚାୟତର କଳାମ୍ବ ଗ୍ରାମର ୪୬ ବଷୀୟା ମହିଳା ଦୁଖି ଯାନୀଙ୍କ ତାଲା ବନ୍ଦ ସମୟରେ ଅନାହାର ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ। ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ବିପିନ୍ ଦାସଙ୍କ ନେତୃତ୍ୱରେ ଏକ ୭ ଜଣିଆ ପ୍ରତିନିଧି ଦଳ ମାନବାଧିକାର କମିଶନ ଯାଇ ଅନାହାର ମୃତ୍ୟୁର ବିଧିବଦ୍ଧ ତଦନ୍ତ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେରାଦ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ୫ମାସ ଲକ୍ଡାଉନ୍ ଭିତରେ ପୀଡିତାଙ୍କୁ କେବଳ ୧୫ କେଜି ଚାଉଳ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା। ଏପରିକି ମନରେଗା ଯୋଜନାରେ ମଧ୍ୟ ତାଙ୍କୁ ସରକାର ସାମିଲ କରିନଥିଲେ। ନଭେମ୍ବର ୨୦୧୮ ପର ଠାରୁ ତାଙ୍କୁ ସରକାରଙ୍କର କୌଣସି ଜନମଙ୍ଗଳକାରୀ ଯୋଜନା ଓ ସାମାଜିକ ନିରାପତା ଯୋଜନାରେ ସାମିଲ କରାଯାଇ ନଥିଲା। ଏଣୁ ଲକ୍ଡାଉନ୍ ସମୟରେ ତା’ର ଗୁଜୁରାଣ ମେଂଟାଇବା ଅସହାୟ ହୋଇପଡିଥିଲା। ଶେଷରେ ସେ ଅନାହାରରେ ମୃତ୍ୟୁବରଣ କରିଛନ୍ତି। ସିଧା ସଳଖ ଭାବରେ ସରକାର ପୀଡିତାଙ୍କ ମାନବାଧିକାର ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି। ଏହା ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ଏଥିସହିତ ପରବର୍ତ୍ତୀ ସମୟରେ ଏଭଳି ଘଟଣା କିଭଳି ପୁନରାବୃତି ନଘଟେ ସେଥିପ୍ରତି ଦୃଷ୍ଟି ଦେବା ସହିତ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ପକ୍ଷରୁ ଆବେଦନ କରାଯାଇଛି। ଏଥିସହିତ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁରରେ ପୋଲିସ ଏବଂ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଜଣେ ନାବାଳିକା ବାରମ୍ବାର ଧର୍ଷଣର ଶିକାର ହୋଇଥିବା ଘଟଣାରେ ଏବେ ସୁଦ୍ଧା ପୋଲିସ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହିତ ଅନ୍ୟ ଅଧିକାରୀଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଅନ୍ୟ ଏକ ଆବେଦନ କରାଯାଇଅଛି।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିଶିକାନ୍ତ ମିଶ୍ର, ଜିନେଶ ଦାସ, ରଂଜିତ୍ ଦାଶ, ଅମିତା ବିଶ୍ୱାଳ, ଅମୀୟ ପାଣ୍ଡବ, ମନୋଜ ସାହୁ ଓ ପ୍ରଦୀପ ମହାପାତ୍ର ପ୍ରମୁଖ ସାମିଲ ଥିଲେ।