Odiapua.com

ଲକଡାଉନ ସ୍ଥିତି ଅନୁଧ୍ୟାନ ପାଇଁ ନୟାଗଡ଼ରେ ପୁଲିସ ମହାନିର୍ଦ୍ଦେଶକ

ନୟାଗଡ଼, ୨୦ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଲକଡାଉନ ସ୍ଥିତି ଅନୁଧ୍ୟାନ ପାଇଁ ଅପରାହ୍ନରେ ନୟାଗଡ଼ରେ ପହଂଚିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ। ଶ୍ରୀ ଅଭୟ ନୟାଗଡ଼ର ଟ୍ରାଫିକ ଛକରେ ପହଂଚି ଲକଡାଉନ କଟକଣା ଓ ବଜାର ମଧ୍ୟରେ ସାମାଜିକ ଦୂରତ୍ୱ କିପରି ପାଳନ କରାଯାଉଛି ତାହାକୁ ନିରୀକ୍ଷଣ କରିଥିଲେ। ତା’ପରେ ସ୍ୱେଚ୍ଛାକୃତ ଭାବେ ପୁଲିସକୁ ସହଯୋଗ କରୁଥିବା ଏନସିସି କ୍ୟଡେଟମାନଙ୍କ କାର୍ଯ୍ୟକୁ ପଚାରି ବୁଝିଥିଲେ। ଲକଡାଉନର ପ୍ରଥମ କୋହଳ କଟକଣାରେ ଡିଜିପିଙ୍କୁ ନୟାଗଡ଼ରେ ଦେଖି ସମସ୍ତେ ହତବାକ ହୋଇଯାଇଥିଲେ। ନୟାଗଡ଼ ଶୂନ୍ୟ ସଂକ୍ରମଣ ଥିଲେ ମଧ୍ୟ ବଜାରର ସ୍ଥିତିକୁ ଦେଖି କଟକଣା ଠିକ୍‌ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବା ଓ ଦୋକାନ ବଜାରରେ ସାମାଜିକ ଦୂରତ୍ୱକୁ ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଏହାପରେ ଡିଜିପି ଶ୍ରୀ ଅଭୟ ଏସପି ପ୍ରତ୍ୟୁଷ ଦିବାକର, ଡିଏସପି ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।