– ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଜମାଖୋରୀ ରୋକିବା ସହ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ରର ନିର୍ଦ୍ଦେଶ
– ୨୦୨୦-୨୧ ରବି ବିପଣନ ଋତୁ ପାଇଁ ଆସନ୍ତା ୧୫ରୁ ଆରମ୍ଭ ହେବ ଗହମ ସଂଗ୍ରହ
ନୂଆ ଦିଲ୍ଲୀ ୧୪-୪ (ଓଡ଼ିଆ ପୁଅ) ଲକଡାଉନ ସମୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଜମାଖୋରୀ ଉପରେ ଅଙ୍କୁଶ ଲଗାଇବା ଏବଂ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ସମୟରେ ଏହା କହିଛନ୍ତି। ସ୍ଥାନୀୟ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦେବା ନିମନ୍ତେ ମିଶ୍ରିତ ସ୍ତରୀୟ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ। ଏହାର ଅନୁପାଳନ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ରାଜ୍ୟଗୁଡ଼ିକୁ ଆବଶ୍ୟକ କ୍ଷମତା ଦିଆଯାଇଛି ବୋଲି ଶ୍ରୀ ପାଶ୍ୱାନ କହିଥିଲେ।
ଏହାଛଡ଼ା ୨୦୨୦-୨୧ ରବି ବିପଣନ ଋତୁ ପାଇଁ ଆସନ୍ତା ୧୫ ତାରିଖ ଠାରୁ ଗହମ ସଂଗ୍ରହ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ନିମନ୍ତେ ଶ୍ରୀ ପାଶ୍ୱାନ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶିକା ଏବଂ ଉଦାହରଣ ଅନୁରୂପ ସାମାଜିକ ଦୂରତ୍ୱ ଅବଲମ୍ବନ ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଆସନ୍ତା ତିନି ମାସ ପାଇଁ ମାଗଣାରେ ଗରିବ ଲୋକମାନଙ୍କୁ ଖାଦ୍ୟଶସ୍ୟ ବିତରଣ ସୁନିଶ୍ଚିତ କରିବା ନିମନ୍ତେ ଶ୍ରୀ ପାଶ୍ୱାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କହିଥିଲେ। ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ।
ଖୋଲା ବଜାରରେ ବିକ୍ରୟ ଲାଗି ଚାଉଳ କିଲୋ ପ୍ରତି ୨୨ଟଙ୍କା ଏବଂ ଗହମ କିଲୋ ପ୍ରତି ୨୧ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଖାଦ୍ୟଶସ୍ୟ, ଡାଲି ବିତରଣ କେନ୍ଦ୍ରରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ କର୍ମଚାରୀ ଓ ଉପଭୋକ୍ତାମାନେ ମାସ୍କ ପରିଧାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।