Odiapua.com

ଲକଡାଉନରେ ରୋଜଗାର ଯୋଗାଉଛି ବରିଡା ଶାଗ

ବାଲିଗୁଡା, ୨୪ /୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ ଏହାକୁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ସ୍ଥାନୀୟ ବାସିନ୍ଦା। ଖରା ଦିନେ ଯେଉଁ ବର୍ଷା ହୋଇଥାଏ ସେଥିରେ ବରିଡା ଗଛରେ କଁଅଳିଆ ପତ୍ର ହୋଇଥାଏ। ତାକୁ ସଂଗ୍ରହ କରି ବଜାରରେ ବିକ୍ରି କରା ଯାଇଥାଏ। ଏହାର ସ୍ବତନ୍ତ୍ର ସ୍ବାଦ ପାଇଁ ବେଶ୍‌ଚାହିଦା ରହିଥିବାରୁ ଲୋକେ କିଣିବାକୁ ଅପେକ୍ଷା କରି ଥାଆନ୍ତି। ଏହା ସ୍ଥାନୀୟ ଲୋକଙ୍କୁ ସାମୟିକ ରୋଜଗାର ମଧ୍ୟ ଯୋଗାଇଥାଏ। ବର୍ତ୍ତମାନ ପରିସ୍ଥିତିରେ ଲକ୍‌ଡାଉନ ଯୋଗୁ ଆବଶ୍ୟକୀୟ ପନିପରିବା ବଜାରରେ ମିଳୁ ନଥିଲେ ମଧ୍ୟ ଏହା ବହୁ ମାତ୍ରାରେ ସଂଗ୍ରହ ହେଉ ଥିବାରୁ ଲୋକଙ୍କ ଚାହିଦା ମେଣ୍ଟାଉଛି। ପ୍ରତ୍ୟେକ ଦିନ ସକାଳୁ ଲୋକେ ପରିବା କିଣିବା ସହ ଏହି ଶାଗ କିଣୁଛନ୍ତି। ସୁକାନ୍ତି ପ୍ରଧାନ ନାମକ ଜଣେ ମହିଳା କୁହନ୍ତି, ଏହି ସମୟରେ ସେ ଶାଗ ବିକ୍ରୀ କରି ୮୦ ରୁ ଶହେ ଟଙ୍କା ଦିନକୁ ରୋଜଗାର କରୁଛନ୍ତି। ଏହାଦ୍ବାରା ତାଙ୍କର ହାତ ଖର୍ଚ୍ଚ ମଧ୍ୟ ବାହାରୁଛି ଲକ୍‌ଡାଉନ ସମୟରେ। ଅନ୍ୟ ପକ୍ଷରେ ଶସ୍ତାରେ ମିଳୁ ଥିବାରୁ ଲୋକେ ମଧ୍ୟ କ୍ରୟ କରୁଛନ୍ତି।