Odiapua.com

ଲକଡାଉନକୁ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ

ପୁରୀ, ୨୨/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ଜାରି କଟକଣା ସମଗ୍ର ଜିଲ୍ଲାରେ ବଳବତର ରହିଛି। ଖାଦ୍ୟ ସାମଗ୍ରୀ ବିକ୍ରୟ ଦୋକାନଗୁଡିକ ସନ୍ଧ୍ୟା ୬ଘଟିକା ସମୟ ସୁଦ୍ଧା ବନ୍ଦ କରିବାକୁ ପୂର୍ବରୁ ଜାରି ନିର୍ଦ୍ଦେଶ ନାମାକୁ ପାଳନ କରିବାକୁ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି। ନିତ୍ୟାନ୍ତ ଆବଶ୍ୟକ ନହେଲେ ବାହାରକୁ ନବାହରିବା ପାଇଁ ଜିଲ୍ଲାବାସୀଙ୍କୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖିଲାପ କାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାମଗ୍ରୀ ସିଲ କରାଯିବା ସହ ମାମଲା ରୁଜୁ କରାଯିବ। ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଦୋକାନଗୁଡିକ ଖୋଲା ରହୁଥିବା ଅଭିଯୋଗଗୁଡିକ ପ୍ରଶାସନ ପକ୍ଷରୁ ଗୁରୁତ୍ୱରଭାବେ ଗ୍ରହଣ କରାଯାଇଛି। ଜିଲ୍ଲା କିମ୍ବା ରାଜ୍ୟ ବାହାରେ ଅଟକି ରହିଥିବା ଜିଲ୍ଲାବାସୀ କୌଣସି ପରିସ୍ଥିତିରେ ଜିଲ୍ଲାକୁ ନଆସିବା ନିମନ୍ତେ କୁହାଯାଇଛି। ଏଭଳି ଘଟଣା ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବା ନିମନ୍ତେ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି। ଲକଡାଉନ ଉଠିବା ପରେ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ଫେରାଇ ଆଣିବାକୁ ସମସ୍ତ ପ୍ରୟାସ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ସହ ମାକ୍ସ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଜିଲ୍ଲା ମଧ୍ୟକୁ ଥିବା ସମସ୍ତ ପ୍ରବେଶ ପଥ ଏବଂ ସମୁଦ୍ର ପଥ ଉପରେ ତୀକ୍ଷ୍ଣ ନଜର ମଧ୍ୟ ରଖାଯାଇଛି। ଏଥିନିମନ୍ତେ ତହସିଲଦାରମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ କୁହାଯାଇଛି। ଗତକାଲି ବାଲେଶ୍ୱର ଏବଂ ଯାଜପୁରରେ ପଶ୍ଚିମବଙ୍ଗ ଫେରନ୍ତା କିଛି ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବାହାର ରାଜ୍ୟରୁ ସମୁଦ୍ର ପଥଦେଇ ଯେମିତି କେହି ପ୍ରବେଶ ନକରନ୍ତି ନଜର ରଖିବାକୁ ସାମୁଦ୍ରିକ ଥାନାଗୁଡିକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବି ସଂପ୍ରଦାୟର ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ସହ ଏ ସଂପର୍କରେ ଆଲୋଚନା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ୧୪୦କିଲୋମିଟର ବ୍ୟାପି ବେଳାଭୂମିରେ ଆସନ୍ତା ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଗଭୀର ଜଳରେ ମାଛ ନଧରିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ଅନୁରୋଧ କରାଯାଇଛି। ଜଳଜୀବ ଓ ମତ୍ସ୍ୟସଂପଦର ସୁରକ୍ଷା ନିମନ୍ତେ ଏଭଳି ନିଷ୍ପତି ପ୍ରତିବର୍ଷ ନିଆଯାଇଥାଏ। କେବଳ ସାଢେ ୮ମିଟର ଲମ୍ବ ଦେଶୀ ଡଙ୍ଗା ମାଧ୍ୟମରେ ମାଛ ଧରିବାକୁ ପରାମର୍ଶ ଦିଆଯାଇଛି। ଉକ୍ତ ଆଇନର ଉଲ୍ଲଘଂନକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଉଛି।