Odiapua.com

ରେଳ ଯୋଗେ ଅଧିକ କୋଇଲା ପରିବହନକୁ ଟ୍ରକମାଲିକ ସଂଘର ବିରୋଧ

ଅନୁଗୋଳ,୫/୧(ଓଡ଼ିଆପୁଅ/ଅଜିତ କୁମାର ବେହେରା): ରେଳ ପରିବର୍ତ୍ତେ ସଡ଼କ ପଥରେ ଟ୍ରକ ଯୋଗେ ଏମସିଏଲରୁ କୋଇଲା ପରିବହନ କରାଯିବା ଦାବି ନେଇ ତାଳଚେରର ଟ୍ରକ ମାଲିକ ସଂଘ ପକ୍ଷରୁ ଅନୁଗୋଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି l ପ୍ରକାଶ ଥାଉକି,କୋଇଲାନଗରୀ ତାଳଚେରରେ ରହିଥିବା ଏମସିଏଲ ର ବିଭିନ୍ନ କୋଇଲାଖଣିରୁ ୬ ହଜାରରୁ ଉର୍ଦ୍ଧ୍ୱ ଟ୍ରକ କୋଇଲା ପରିବହନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଏଠାରୁ ବିଭିନ୍ନ ଅଞ୍ଚଳକୁ କୋଇଲା ଯାଇଥାଏ l ଏହି କାରବାର ଉପରେ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ୱ ପରିବାର ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ପ୍ରାୟ ୩୦ ହଜାର ଲୋକ ନିର୍ଭର କରିଥାନ୍ତି । ତେବେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଟ୍ରକ ପରିବର୍ତ୍ତେ ରେଳ ଯୋଗେ କୋଇଲା ପରିବହନ କରାଯିବା ନେଇ ଯୋଜନା କରା ଯାଇ ଥିବାରୁ ଶହ ଶହ ପରିବାରଙ୍କ ଜୀବନଜୀବିକା ଗଭୀର ପ୍ରଭାବିତ ହେବା ଆରମ୍ଭ ହୋଇଛି। ପୂର୍ବରୁ ଲୋକାଲ ସେଲରେ ଆବଶ୍ୟକୀୟ କୋଇଲା ଲୋଡିଂ ପାଉ ନଥିବା ବେଳେ ଏବେ ଟ୍ରକ ପରିବର୍ତ୍ତେ ରେଳ ଯୋଗେ କୋଇଲା ପରିବହନ କରାଯିବା ନିଷ୍ପତ୍ତି ଟ୍ରକ ମାଲିକ ସମେତ ଡ୍ରାଇଭର,ହେଲପର ଓ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହେଉଛି। ଫଳରେ ଟ୍ରକ ମାଲିକମାନଙ୍କୁ କ୍ଷତି ସହିବାକୁ ପଡୁଛି। ପୂର୍ବରୁ କୋଇଲା ପରିବହନ ଟ୍ରେନ ଯୋଗେ ୬୦ ପ୍ରତିଶତ ଓ ଟ୍ରକ ଯୋଗେ ୪୦ ପ୍ରତିଶତ କୋଇଲାଖଣିରୁ କୋଇଲା ପରିବହନ ପାଇଁ ନିଷ୍ପତି ହୋଇଥିବା ବେଳେ ବର୍ତମାନ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଣୁ ଶହେ କି.ମି ଦୂରତ୍ୱ ମଧ୍ୟରେ ଥିବା ସ୍ଥାନୀୟ କାରଖାନା ଗୁଡିକୁ ଟ୍ରକ ଯୋଗେ କୋଇଲା ପରିବହନ କରାଯାଉ। ଏବଂ ରାଜ୍ୟ ବାହାରେ ଥିବା କାରଖାନା ଗୁଡିକୁ ୫0:୫0 ଅନୁପାତରେ ପୂର୍ବପରି ଟ୍ରକ ଓ ରେଳ ଯୋଗେ କୋଇଲା ପରିବହନ କରାଯାଉ ବୋଲି ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି l ଏପରି ଦାବି ନେଇ ସଂଘ ନେତୃତ୍ୱରେ ବହୁ ଟ୍ରକ ମାଲିକ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୧୧ ତାରିଖଠାରୁ ଅର୍ଥନୈତିକ ଅବରୋଧ କରି କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସଂଘ ତରଫରୁ ଚେତେଇ ଦିଆଯାଇଛି ।