Odiapua.com

ରେଳ ବିଭାଗର ବୃହତ ନାଳ ଖନନକୁ ବିରୋଧ : ‘ଜଳ ନିଷ୍କାସନ କମିଟି’ର ଆନ୍ଦୋଳନ ନିଷ୍ପତି

ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ନିଷ୍କାସନ ବ୍ୟବସ୍ଥାର ସୁଧାର ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ଅଦ୍ୟାବଧି ସ୍ଥାୟୀ ପ୍ରତିକାର କରାନଯିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି “ଜଳ ନିଷ୍କାସନ କମିଟି। ଏହି ପରିପ୍ରେକ୍ଷୀରେ ରେଳଲାଇନ୍ ପଶ୍ଚିମପାର୍ଶ୍ୱ ଅଞ୍ଚଳର ବୁଦ୍ଧିଜୀବୀଙ୍କୁ ନେଇ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ କାଉନ୍‌ସିଲର କୈଳାଶ ଚନ୍ଦ୍ର ଦାଶ, ଶ୍ୟାମାନନ୍ଦ ରାଉଳ, ସନ୍ତୋଷ କୁମାର ସିଂହ, ରବିନ୍ଦ୍ର ପ୍ରସାଦ ଦାଶ, ଶ୍ରୀକାନ୍ତ ମହାପାତ୍ର, ଦେବେନ୍ଦ୍ର ନାଥ ପଣ୍ଡା, ଆଲୋକ କୁମାର ଦାଶ, ଗୁରୁଦତ୍ତ ମିଶ୍ର, ଉମାକାନ୍ତ ପଢ଼ିଆରୀ, ସୀତାକାନ୍ତ ସ୍ୱାଇଁ, ରାମଚନ୍ଦ୍ର ଦାସ, ଜୟନ୍ତ କୁମାର ଦାଶ, ମାୟାଧର ନାୟକ, ଇଂ- ବିନୋଦ ବିହାରୀ ଦାସ, ବନଜାରାଣୀ କର, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ଓ ଆଇନ୍‌ଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ଏଥିରେ ଯୋଗଦେଇ ତାମୁଳିଆ ଓଭରବ୍ରିଜ୍ ଠାରୁ ବର୍ଷାଜଳ, ଅଙ୍ଗାରଗଡ଼ିଆ, ଶୋଭାରାମପୁର, ଗୋଡ଼ିପଦା ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରବଳ ବର୍ଷା ବେଳେ ଏହି ଅଞ୍ଚଳରୁ ଜଳ ନିଷ୍କାସନ ହୋଇ ନପାରି ଉପରୋକ୍ତ ଅଞ୍ଚଳର ବାସିନ୍ଦାମାନଙ୍କ ଘରକୁ ବର୍ଷାଜଳ ପ୍ରବେଶ କରିଥାଏ ବୋଲି ସେମାନେ କହିଥିଲେ। ଫଳରେ ସୁରଜ୍ ହୋଟେଲଠାରୁ ନୂଆସାହି ଛକ ପର୍ଯ୍ୟନ୍ତ ମୁଖ୍ୟ ସଡ଼କ ଉପରେ ବର୍ଷାଜଳ ପ୍ରବାହିତ ହେବା ଫଳରେ ଏହି ସଡ଼କରେ ଯାତାୟତ କରୁଥିବା ଗାଡ଼ିମୋଟର ଦୀର୍ଘସମୟ ଧରି ବନ୍ଦ ହୋଇଯାଇଥାଏ। ରାସ୍ତାର ଦକ୍ଷିଣ ପାଶ୍ୱର୍ରେ ଥିବା ଦୋକାନଗୃହ ଗୁଡ଼ିକରେ ପାଣି ପଶି ବ୍ୟାପକ କ୍ଷତି ଘଟାଇଥାଏ। ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିକରି ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘ ଦଶବର୍ଷ ଧରି ବିଭିନ୍ନ ବିଭାଗୀୟ ଅଧିକାରୀ, ସାଂସଦ ଓ ବିଧାୟକଙ୍କୁ ଆବେଦନ ନିବେଦନ କରିଆସୁଛନ୍ତି। ମୁଖ୍ୟତଃ ରେଳଲାଇନ୍‌ର ପଶ୍ଚିମ ଦିଗକୁ ଥିବା ଗ୍ରାମବାସୀ ଏହି ସମସ୍ୟା ମଧ୍ୟରେ କାଳାତିପାତ କରୁଥିଲେ ବି ପ୍ରଶାସନ ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଶୋଭାରାମପୁରଠାରେ ନିର୍ମାଣାଧୀନ ଓଭରବ୍ରିଜ୍ ନିକଟରେ ରେଳକର୍ତ୍ତୃପକ୍ଷ ଏକ ବୃହତ୍ତ ନାଳ ନିର୍ମାଣକୁ ବିରୋଧ କରାଯାଇଛି। ଏହି ନାଳ ନିର୍ମାଣ କରାଗଲେ ରେଲୱେ କଲୋନି ଓ ରେଳପଥରୁ ଅଧିକ ବର୍ଷାଜଳ ସ୍ଥାନୀୟ ଅଞ୍ଚଳରେ ଅଧିକ ବିପତ୍ତି ସୃଷ୍ଟି କରିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ସଦର ତହସିଲଦାର ପଞ୍ଚାନନ ପାତ୍ର ସ୍ଥାନୀୟ ଅଞ୍ଚଳ ପରିଦର୍ଶନ ସହ ସ୍ଥାନୀୟ ବାସିନ୍ଦାମାନଙ୍କ ସମସ୍ୟା ସଂପର୍କରେ ନବନିଯୁକ୍ତ ଉପ-ଜିଲ୍ଲାପାଳଙ୍କୁ ଅବଗତ କରାଇଥିବାର ଜଣାଯାଇଛି। ରେଳଲାଇନ୍‌ର ପଶ୍ଚିମପଟର ନୟନଯୋରୀକୁ ପ୍ରଶସ୍ତ କରି ବର୍ଷାଜଳକୁ ଲୁଣିଆଯୋଡ଼ି ପର୍ଯ୍ୟନ୍ତ ନିର୍ମାଣକାର୍ଯ୍ୟ କରିବାକୁ ଗ୍ରାମବାସୀମାନେ ଆବେଦନ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ରେଳଷ୍ଟେସନର ପଶ୍ଚିମପଟକୁ ଥିବା ନୟନଯୋରିକୁ ସଂପ୍ରସାରଣ କରି ମାଲଗୋଦାମ ଆନନ୍ଦବଜାର ଓ ଅରଡ଼ ବଜାରରୁ ଲୁଣିଆଯୋଡ଼ୀକୁ ସଂଯୋଗ କରା ନଗଲେ ଆଗାମୀ ଦିନରେ ଜଳ ନିଷ୍କାସନ କମିଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ପ୍ରଶାସନ ଓ ରେଳକର୍ତ୍ତୃପକ୍ଷ ସଠିକ୍ ବୁଝାମଣାରେ ଯଦି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ ତେବେ ସେମାନେ ସପରିବାର ରେଳପଥ ଅବରୋଧ କରିବାକୁ ବାଧ୍ୟହେବେ ବୋଲି ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।