Odiapua.com

ରେଳ ଧାରଣାରେ କଟି ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ୨ ସାଙ୍ଗ

ଯୋଡା, ୨୬/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶନିବାର ବିଳମ୍ବିତ ରାତ୍ରୀରେ ଲହଣ୍ଡା ପେଟ୍ରୋଲ ପମ୍ପ ନିକଟ ରେଳ ଧାରଣାରେ ସାୱାନ ପୂର୍ତ୍ତି (୨୨) ନାମକ ଜଣେ ଯୁବକ ମାଲବାହି ଟ୍ରେନରେ କଟି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏହି ରେଳ ଧାରଣା ଉପରେ ୩ଜଣ ଯୁବକ ଶୋଇଥିବା ବେଳେ ଅନ୍ୟ ୨ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେଥି ମଧ୍ୟରୁ ଶିବ ଦାଶ(୨୦) ର ଗୋଟିଏ ହାତ ଭାଙ୍ଗି ଯାଇଥିବା ଜଣାପଡିଛି । ଯୋଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରେଳବାଇ ପୁଲିସକୁ ଖବର କରିବା ସହ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି । ତେବେ ଏହି ତିନି ଜଣ ଯୁବକ ରେଳ ଧାରଣା ଉପରେ କାହିଁକି ଶୋଇଥିଲେ ତାହାର ସଠିକ କାରଣ ଜଣାପଡିନାହିଁ । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଏହି ପେଟ୍ରୋଲ ପମ୍ପ ନିକଟରେ ଅନେକ ଟ୍ରକ ଅଟକି ରହୁଥିବାରୁ କିଛି ଯୁବକ ସୁଯୋଗ ଖୋଜି ଏହି ଗାଡି ଗୁଡିକରୁ ବ୍ୟାଟେରୀ, ଷ୍ଟେପିନ୍‌, ତେଲ ଇତ୍ୟାଦି ଚୋରି କରିବା ସହ ଡ୍ରାଇଭର ମାନଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରିଥାନ୍ତି । ଏହି ଯୁବକମାନେ କୌଣସି ଅଘଟଣ ଘଟାଇବା ଉଦ୍ଦେଶ୍ୟରେ ସେଠାରେ ଛକି ରହିଥିବା ବେଳେ ସେମାନଙ୍କ ଭିତରୁ ମୃତକ ସାୱାନ ନୀଦରେ ଶୋଇପଡିଥିବାରୁ ଏହି ଦୁର୍ଘଟଣା ଘଟିଥିବ ବୋଲି ଅନୁମାନ କରାଯାଉଛି । ମୃତକ ସାୱାନ ପୂର୍ତ୍ତି ଏବଂ ଶିବ ଦାସ ଉଭୟଙ୍କ ଘର ନିକଟସ୍ଥ ଝାରଖଣ୍ଡ ରାଜ୍ୟର ନୁଆମୁଣ୍ଡିସ୍ଥିତ ସର୍ବିଲରେ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ଚିଣ୍ଟୁ କାଳନ୍ଦିର ଘର ଯୋଡାସ୍ଥିତ କମାରଯୋଡାରେ ବୋଲି ଜଣାପଡିଛି ।