Odiapua.com

ରେଳ ଦୁର୍ଘଟଣାରେ ମୃତାହତ ଓ ଅଟକି ରହିଥିବା ଯାତ୍ରୀଙ୍କ ପରିବାର-ସମ୍ପର୍କୀୟଙ୍କ ସୁବିଧା ପାଇଁ ୧୩୯ ହେଲ୍ପଲାଇନ ନମ୍ବର ଜାରି କଲା ଭାରତୀୟ ରେଳବାଇ

– ୨୪ ଘଣ୍ଟିଆ କଲ୍ ସେଣ୍ଟରରେ ଫୋନ ଉଠାଇବେ ବରିଷ୍ଠ ରେଳ ଅଧିକାରୀ
– ପୀଡ଼ିତ ଯାତ୍ରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସଠିକ ଓ ସନ୍ତୋଷଜନକ ସୂଚନା ଯୋଗାଇ ଦେବା ଲାଗି ୧୩୯ ରେଳ ହେଲ୍ପଲାଇନ୍ ସମର୍ପିତ

ଭୁବନେଶ୍ୱର ୪-୬ (ଓଡ଼ିଆ ପୁଅ) ବାଲେଶ୍ବର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାରବର୍ଗ/ସମ୍ପର୍କୀୟ/ବନ୍ଧୁମାନଙ୍କୁ ସହଯୋଗ କରିବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ୧୩୯ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି। ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ଏକ ଦଳ ଏହି ୨୪ ଘଣ୍ଟିଆ ହେଲ୍ପଲାଇନରେ କଲ୍ କରୁଥିବା ଲୋକମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦେବେ। ରେଳବାଇ ଜୋନ୍ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ ସମନ୍ବୟ ସ୍ଥାପନ କରି ସେମାନେ ଏହି ସୂଚନା ଦେବେ। ଏହି ସେବା ନିରନ୍ତର ଭାବେ ଜାରି ରହିବ ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ସହାୟତା ରାଶି : ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ବିତରଣରେ ସହାୟକ ହେବ।

ରେଳ ହେଲ୍ପଲାଇନ ୧୩୯ର ଉଦ୍ଦେଶ୍ୟ ହେଉଛି ସହାୟତା ଯୋଗାଇ ଦେବା ଏବଂ ପୀଡ଼ିତ ଯାତ୍ରୀମାନଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ସଠିକ ଓ ସନ୍ତୋଷଜନକ ସୂଚନା ଯୋଗାଇ ଦେବା।

ଏବେ ସୁଦ୍ଧା, ରେଳବାଇ ପକ୍ଷରୁ ୨୮୫ ମାମଲା (୧୧ ମୃତକ, ୫୦ ଗୁରୁତର ଆହତ, ୨୨୪ ସାମାନ୍ୟ ଆହତ) ମାନଙ୍କୁ ୩.୨୨ କୋଟି ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦିଆଯାଇଛି। ରେଳବାଇ ୭ଟି ସ୍ଥାନ (ସୋରୋ, ଖଡ଼ଗପୁର, ବାଲେଶ୍ବର, ଖନ୍ତାପଡ଼ା, ଭଦ୍ରକ, କଟକ, ଭୁବନେଶ୍ବର)ରେ ସହାୟତା ରାଶି ବିତରଣ କରାଯାଉଛି।