Odiapua.com

ରେଳ ଓଭର ବ୍ରିଜ ପାଇଁ ମାପଚୁପ ଓ ସର୍ଭେ ଚାଲିଥିବାବେଳେ ବ୍ୟବସାୟୀଙ୍କ ପ୍ରତିବାଦ

ପୁରୀ ୯/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀର ବହୁ ପ୍ରତିକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଓ ସର୍ଭେ କାମ ଆଜି ମାଟିଆ ପଡ଼ା ଛକରେ ଚାଲିଥିବା ବେଳେ ବ୍ୟବସାୟୀମାନେ ଏହାର ପ୍ରତିବାଦ କରିଥିଲେ। ଆଜି ସର୍କିଟ ହାଉସ ଠାରେ ସାଂସଦ ପିନାକି ମିଶ୍ର, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ରେଳ ଓଭରବ୍ରିଜ ଦ୍ୱାରା କ୍ଷତିଗ୍ରସ୍ଥ ହେବାକୁ ଥିବା ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ। ଏନ୍‌-ଏଚ୍ ଆକ୍ଟର ସେକ୍ସନ ୧୯୫୭ ଅନୁଯାୟୀ ସର୍ଭେ ଓ ମାପଚୁପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କ୍ଷତିଗ୍ରସ୍ଥଙ୍କ ଗୃହ ମୂଲ୍ୟାୟନ ଠିକ୍ ଭାବରେ କରାଯାଉଛି। ଏଣୁ ବୃହତ୍ତର ସର୍ତ୍ତ ଦୃଷ୍ଟିରୁ ସମସ୍ତେ ସହଯୋଗ କରିବାକୁ ଆଜି ବୈଠକରେ ଆଲୋଚନା କରାଯାଇଛି। ମାଟିଆପଡ଼ା ଓ ସିଦ୍ଧମହାବୀର ଦେଇ ରେଳ ଓଭରବ୍ରିଜ ଗଲେ ଶତାଧିକ ସ୍ଥିତିବାନ ଲୋକେ ବାସହୀନ ହେବେ। କୋଣାର୍କ, କାକଟପୁର, ଗୋପ, ନିମାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ରେଳ ଓଭର ବ୍ରିଜ ହୋଇନଥିବାରୁ ଦିନକୁ ୮ ଘଣ୍ଟା ଟ୍ରାଫିକ ଜାମ ହେଉଛି। ଅଞ୍ଚଳ ବାସୀଙ୍କ ସହ ଛାତ୍ର ଛାତ୍ରୀ, ବୃଦ୍ଧବୃଦ୍ଧା ଓ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଫସି ରହୁଛନ୍ତି। ରେଳବାୟୀ କ୍ରୀୟାନୁଷ୍ଠାନ କମିଟି ସହ ବିଭିନ୍ନ ସଂଗଠନ ବାରମ୍ବାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜାତୀୟ ରାଜପଥ ବିଭାଗ ଓ କାଲା ପକ୍ଷରୁ ସର୍ଭେ ଓ ମାପଚୁପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସିଦ୍ଧମହାବୀର ରେଳ ଓଭରବ୍ରିଜ ପାଇଁ ୫୩ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି।