Odiapua.com

ରେଳମନ୍ତ୍ରୀ ଭାବେ ଶ୍ରୀ ପୀୟୂଷ ଗୋଏଲଙ୍କ ଦାୟିତ୍ୱ ଗ୍ରହଣ

ନୂଆ ଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ଶ୍ରୀ ପୀୟୂଷ ଗୋଏଲ ଆଜି ୩୧ ମେ, ୨୦୧୯ରେ ରେଳ ଭବନଠାରେ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରେଳ ମନ୍ତ୍ରଣାଳୟ ସହିତ ତାଙ୍କୁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହି ଅବସରରେ ନୂଆ ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଦି ଚାନ୍ନାବାସାପ୍ପା, ରେଳ ବୋର୍ଡ ଅଧ୍ୟକ୍ଷ ଶ୍ରୀ ଭି.କେ. ଯାଦବ ଏବଂ ବୋର୍ଡର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଗୋଏଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ବିଗତ ୫ ବର୍ଷ ମଧ୍ୟରେ ରେଳବାଇର ଯାତ୍ରୀ ସେବା ଏବଂ ଅନ୍ୟ ବିଭାଗଗୁଡ଼ିକରେ ପରିବର୍ତ୍ତନକାରୀ ପଦକ୍ଷେପମାନ ଗ୍ରହଣ କରାଯାଇଛି। ଆସନ୍ତା ୫ ବର୍ଷରେ ରେଳବାଇର ଗତି ବୃଦ୍ଧି କରିବା ଦିଗରେ ପଦକ୍ଷେପ ନିଆଯିବ। ଯାତ୍ରୀଙ୍କ ସୁବିଧାରେ ଆହୁରି ଉନ୍ନତି ଅଣାଯିବ ଯାହା ରେଳ ଯାତ୍ରାକୁ ଅଧିକ ଉପଭୋଗ୍ୟ କରିବ। ଏଥିସହିତ ମାଲ ପରିବହନକୁ ଆହୁରି ସମ୍ପ୍ରସାରିତ କରାଯିବ। ଆମେ ପୂର୍ବପରି ଉତ୍ସାହ ଏବଂ କଠିନ ପରିଶ୍ରମର ସହ କାମ କରିବୁ।