Odiapua.com

ରେଲୱେ ରିଜର୍ଭେସନ କାଉଁଟରରେ ଗଡ଼ୁଛି ମଦ ବୋତଲ ! ପ୍ରଶାସନ ନିଶାରେ ଶୋଇଛି କି?

ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟିଛି ରେଲୱେ ରିଜର୍ଭେସନ ଟିକେଟ କାଉଣ୍ଟର
ନୟାଗଡ଼ ୬ ଜୁନ୍ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କେଇହାତ ଦୂର ତଥା ପଠାଣି ସାମନ୍ତ ଅଡ଼ିଟୋରିୟମ ଓ ସାମ୍ବାଦିକ ଭବନ ମଧ୍ୟବର୍ତି ସ୍ଥାନରେ ଅବସ୍ଥିତ ରେଲୱେ ଟିକେଟ ସଂରକ୍ଷଣ କାର୍ଯ୍ୟାଳୟ। ଏବେ ତାହା ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟିଛି। ଏହି ସଂରକ୍ଷଣ କାର୍ଯ୍ୟାଳୟ ଉପରେ ଜିଲ୍ଲାର ହଜାର ହଜାର ଜନସାଧାରଣ ନିର୍ଭର କରୁଥିବା ବେଳେ ଏଠାକାର ଦୂଷିତ ଓ ଆବର୍ଜନାମୟ ପରିବେଶ ପାଇଁ କୌଣସି ଭଦ୍ରବ୍ୟକ୍ତି ଏଠାକୁ ଆସିବାକୁ ସଂକୋଚ ବୋଧ କରୁଥିବା ବେଳେ ନାଁ ଜିଳ୍ଲା ପ୍ରଶାସନ ନା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସୂଚନା ଯୋଗ୍ୟ ଯେ ଗତ ୨୦୦୧ ମସିହାରୁ ପ୍ରତିଷ୍ଠିତ ଏହି ରେଲୱେ ଟିକେଟ ସଂରକ୍ଷଣ କାର୍ଯ୍ୟାଳୟ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିଲା। ତେବେ ନୟାଗଡ଼ ଜିଳ୍ଲା ଜେଲ ଏଠାରୁ ସ୍ଥାନାନ୍ତର ହେବା ପରେ ଏହାର ଏକ ସରକାରୀ କ୍ୱାର୍ଟରରେ ବର୍ତ୍ତମାନ ସଂରକ୍ଷଣ କାଉଣ୍ଟର ଚାଲୁ ରହିଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହା ପରିସର ଜଙ୍ଗଲରେ ପରିଣତ ହୋଇଥିବା ବେଳେ ସଂଧ୍ୟାବେଳେ ଏହା ମଦୁଆ ଗଞ୍ଜଡ଼ଙ୍କ ପାଇଁ ଆଡ଼ାସ୍ଥଳୀ ପାଲଟିଛି। ଫଳରେ ମଦୁଆଙ୍କ ଯୋଗୁଁ ଏହା ପରିସରରେ ମଦ ବୋତଲ, ପାଣି ପାଉଚ ଏବଂ ପ୍ଲାଷ୍ଟିକ ଗ୍ଲାସରେ ଭରପୁର କୁଢ଼କୁଢ଼ ଆବର୍ଜନାର ପାହାଡ଼ରେ ପରିଣତ ହେଲାଣି। ସରକାର ସ୍ୱଚ୍ଛ ଭାରତ ନାରା ଦେଉଥିବା ବେଳେ ଏଠାରେ ତାହାର ବିପରୀତ କାର୍ଯ୍ୟ ଦେଖିବାକୁ ମିଳୁଛି। ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ମଧ୍ୟ ଏଠାରେ ପରିମଳ ବ୍ୟବସ୍ଥା କରାଯାଉ ନାହିଁ। ଅନ୍ୟପକ୍ଷରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲୁଥିବା ଏହି କାଉଣ୍ଟର ଅନ୍ୟ ସମୟରେ ଏବଂ ଛୁଟିଦିନ ବନ୍ଦ ରହୁଥିବା ତଥା ଏହି ପରସରକୁ ଆଲୋକ ବ୍ୟବସ୍ଥା କରାନଯାଇଥିବାର ସୁଯୋଗ ନେଇ ବିଭିନ୍ନ ଅସାମାଜିକ ବ୍ୟକ୍ତି ବିଶେଷ ଏହା ମଧ୍ୟରେ ନିର୍ବିଘ୍ନରେ ଝାଡ଼ା ପରିସ୍ରା କରିବା ସହିତ ଏହାକୁ ଏକ ଶୌଚାଳୟରେ ପରିଣତ କରିଛନ୍ତି। ନୟାଗଡ଼ ମଧ୍ୟ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ତଥା ଟାଉନଥାନା ଠାରୁ ମାତ୍ର ୪ଶହ ମିଟର ଦୂରରେ ଥିବା ଏହି ରେଲୱେ ଟିକେଟ ସଂରକ୍ଷଣ କାର୍ଯ୍ୟାଳୟ ପରିସରରେ ଏପରି ଅସାମଜିକ କାର୍ଯକଳାପ ଚାଲୁଥିବା ବେଳେ ଜିଳ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।