Odiapua.com

ରେମୁଣା ସିଡିପିଓଙ୍କ ମନମୁଖୀ କାର‌୍ୟ୍ୟକୁ ନେଇ ଅସନ୍ତୋଷ, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ବିକ୍ଷୋଭ

ବାଲେଶ୍ୱର, ୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ରେମୁଣା ବ୍ଲକ ସିଡିପିଓଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିବାଦ କାର‌୍ୟ୍ୟକ୍ରମରେ ଶ୍ରମିକ ସଂଗଠନ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ଅଙ୍ଗନୱାଡ଼ି କର୍ମୀ ସଂଘର ରାଜ୍ୟ ଉପ-ସାଧାରଣ ସମ୍ପାଦିକା ପ୍ରତିଭା ପାଲ, ବାଲେଶ୍ୱର ମ୍ୟୁନିସିପାଲଟି କମିଟି ସମ୍ପାଦିକା ନିର୍ବାସିନୀ ପ୍ରଧାନ, ରେମୁଣା ବ୍ଲକ କମିଟି ସଭାପତି ଅନୁପମା ଗିରି, ସମ୍ପାଦିକା ମାନିନୀ ଆଚାର‌୍ୟ୍ୟ ପ୍ରମୁଖ ଯୋଗଦେଇ କେନ୍ଦ୍ର ପରିଚାଳନା ଜନିତ ସମସ୍ୟା, ବିଭିନ୍ନ ସାମଗ୍ରୀ ଯୋଗାଣରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମନମୁଖୀ କାର‌୍ୟ୍ୟ ଓ ସେମାନଙ୍କୁ ସିଡିପିଓ ତଥା ସୁପରଭାଇଜରଙ୍କ ନିରବ ସମର୍ଥନକୁ ନେଇ ତୀବ୍ର ସମାଲୋଚନା କରିଥିଲେ। ଅଙ୍ଗନୱାଡ଼ି ଶିଶୁଙ୍କ ପୋଷାକ ଯୋଗାଣରେ ଏସଏଚଜିମାନେ ଘୋର ଅନିୟମିତତା କରିଥିଲେ ବି ସେମାନଙ୍କ ପ୍ରତି ସିଡିପିଓଙ୍କ ସମ୍ବଦନଶୀଳତା ପ୍ରଦର୍ଶନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଷ୍ଟିଚିଙ୍ଗ ୟୁନିଟ୍ ନଥିବା ଏବଂ ମସଲା ଯୋଗାଣକାରୀ ଗୋଷ୍ଠୀଙ୍କ ସହ ପୋଷାକ ବିତରଣ ପାଇଁ ସିଡିପିଓ ଚୁକ୍ତି କରିବାର ପୃଷ୍ଠର କାରଣକୁ ନେଇ ସଂଘ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଥିଲା। ଶିଶୁଙ୍କ ପୋଷାକ ତିଆରି ବାବଦୀୟ ଅର୍ଥ ଅଙ୍ଗନୱାଡ଼ି କର୍ମୀଙ୍କ ସଂଯୁକ୍ତ ଆକାଉଣ୍ଟକୁ ପଠାଇବାର ବ୍ୟବସ୍ଥା ଥିଲେ ବି ସିଡିପିଓ ମନମୁଖି ଭାବେ ଏସଏଚଜିଙ୍କୁ ପ୍ରଦାନ କରୁଛନ୍ତି। ଅନ୍ୟପକ୍ଷରେ ଦୈନନ୍ଦିନ ରିପୋର୍ଟ ହ୍ୱାଟ୍ସଆପ୍‌ରେ ପଠାଇବା ପାଇଁ ଡାଟା ରାଚାର୍ଜ ଖର୍ଚ୍ଚ ଅଫିସ ପକ୍ଷରୁ ପ୍ରଦାନର ନିୟମ ଥିବା ବେଳେ ଅଦ୍ୟାବଧି କର୍ମୀମାନଙ୍କୁ ଅର୍ଥ ପ୍ରଦାନ କରାଯାଉ ନାହିଁ। ଏ ଦିଗରେ ସିଡିପିଓ ଉଚିତ ପଦକ୍ଷେପ ନ ନେବା ପର‌୍ୟ୍ୟନ୍ତ ସଂଘ ପକ୍ଷରୁ ଆନ୍ଦୋଳନ ଓ ଗଣ ଧାରଣା ଜାରି ରହିବ ବୋଲି କର୍ମକର୍ତ୍ତାମାନେ ଆଜିର ବିକ୍ଷୋଭ ସ୍ଥଳରେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଏକ ଦାବିପତ୍ର ରେମୁଣା ବ୍ଲକ ସିଡିପିଓଙ୍କୁ ଆଜି ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କଳ୍ପନା ରାଉତ, ବନ୍ଦିତା ଦାସ, ଜୟନ୍ତୀ ବାରିକ, ଅମୀତା ରାଣୀ ରାଉତ, ପ୍ରମୁଖ ଏଥିରେ ଉପସ୍ଥିତ ରହି ବିକ୍ଷୋଭ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ରେମୁଣା ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ଅଙ୍ଗନୱାଡ଼ି କର୍ମୀ ଏହି ପ୍ରତିବାଦ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ।