Odiapua.com

ରେମୁଣା ବିଧାୟକଙ୍କୁ ଅଜଣା ବ୍ୟକ୍ତିଙ୍କ ଆକ୍ରମଣ

ବାଲେଶ୍ୱର, ୨୧ା୮(ଓଡ଼ିଆ ପୁଅ/ଅଭୟ ଦାସ): ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଆକ୍ରମଣ ଓ ତାଙ୍କ କାର ଭଙ୍ଗାରୁଜା କରାଯିବା ଘଟଣାକୁ ନେଇ ରେମୁଣା ନିର୍ବାଚନମଣ୍ଡଳୀ ସମେତ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ରେମୁଣା ବିଧାୟକ ଶ୍ରୀ ପରିଡ଼ା ମଙ୍ଗଳବାରଦିନ ସଂଧ୍ୟା ସମୟରେ ତାମୂଳିଆସ୍ଥିତ ନିଜ ପାୱାରଟିଲର ସୋ’ରୁମ୍‌ରୁ କାର ଡ୍ରାଇଭିଂ କରି ଘରକୁ ଫେରୁଥିଲେ। ତେବେ ଷ୍ଟେସନଛକ ନିକଟରେ ତାଙ୍କ କାରକୁ ଘଷି ହୋଇ ଏକ ଆମ୍ବୁଲାନ୍ସ ଓଭରଟେକ୍ ସହ ବିଧାୟକ କିଛି ପଚାରିବା ପୂର୍ବରୁ ଜିଲ୍ଲାସ୍କୁଲ ରାସ୍ତାରେ ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ଚାଲିଯାଇଥିଲା। କିଏ ଏହି ଆମ୍ବୁଲାନ୍ସ ଡ୍ରାଇଭର ଏଭଳି ରଫ୍ ଡ୍ରାଇଭିଂ କରୁଛି ଜାଣିବା ପାଇଁ ବିଧାୟକ ମୁଖ୍ୟ ଡାକ୍ତରଖାନା ଯାଇ ଆମ୍ବୁଲାନ୍ସ ଓ ତା’ର ଡ୍ରାଇଭରକୁ ଖୋଜାଖୋଜି କରିଥିଲେ। ମାତ୍ର ସମ୍ପୃକ୍ତ ଡ୍ରାଇଭରକୁ ନପାଇ ବିଧାୟକ ଫେରୁଥିବା ବେଳେ ଫାଟକ ନିକଟରେ କିଛି ଅଜଣା ବ୍ୟକ୍ତି ଛିଡ଼ାହୋଇ ରହିବା ଫଳରେ ବିଧାୟକଙ୍କ କାର ମୁଖ୍ୟରାସ୍ତାକୁ ଆସି ନପାରିବାରୁ ସେ ହର୍ଣ୍ଣ ବଜାଇ ଓ ଲାଇଟ୍ ମାରି ସାପ୍ ମାଗିଥିଲେ। ଅଜଣାବ୍ୟକ୍ତିମାନେ ରାସ୍ତାରୁ ନ ହଟି ଓଲଟି ବିଧାୟକଙ୍କ ସହ ଯୁକ୍ତିତର୍କ କରିଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ସେମାନେ ବିଧାୟକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନଙ୍କ ଆକ୍ରମଣାତ୍ମକ ମୁଡ଼୍‌କୁ ଲକ୍ଷ୍ୟ କରି ବିଧାୟକ କାରରୁ ବାହରି ନଥିବା ବେଳେ ଶେଷରେ ଦୁର୍ବୃତ୍ତମାନେ କାରକୁ ଭାଙ୍ଗରୁଜା କରିଥିଲେ। କାରର କାଚ ଓ ହେଡ୍ ଲାଇଟ୍ ଭାଙ୍ଗି ଯାଇଥିଲା ସେ ପ୍ରକାଶ କରିଛନ୍ତି। ଏହାକୁ ନେଇ ବିଧାୟକ ଶ୍ରୀ ପରିଡ଼ା ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୧୮୯/୨୦୨୦ ନଂର ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।