Odiapua.com

ରେମୁଣାଗୋଲେଇ ଫାଣ୍ଡିରେ କୁବେର ହୋମଗାର୍ଡ଼

ବାଲେଶ୍ୱର, ୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବାଲେଶ୍ୱର ଜିଲ୍ଲା ପୁଲିସରେ ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ପାର୍ଶ୍ୱ ଥାନାକୁ ବଦଳି ହୋଇଯିବା ପାଇଁ ଅଧିକ ଆଗ୍ରହୀ ହୋଇପଡ଼ୁଛନ୍ତି। ଏହି ସବୁ ଥାନାକୁ ବଦଳି ହୋଇ ଯାଉଥିବା ପୁଲିସ କର୍ମଚାରୀଙ୍କର ସ୍ୱଳ୍ପଦିନ ମଧ୍ୟରେ ଆର୍ଥିକ ସ୍ଥିତିର ପରିବର୍ତ୍ତନ ଦେଖାଯାଉଥିବା ବେଳେ ଏଠାରେ କାର୍ଯ୍ୟ କରୁଥିବା ହୋମଗାର୍ଡ଼ଙ୍କର ବି ଅନୁରୂପ ଉନ୍ନତି ପରିଲକ୍ଷିତ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ‘ରେମୁଣା ଗୋଲେଇ ଫାଣ୍ଡି’। ଏଠାରେ ଗତ ୬ମାସଧରି କାର୍ଯ୍ୟ କରୁଥିବା ଜନୈକ ଗୃହରକ୍ଷୀଙ୍କ ଦୌରାତ୍ମ୍ୟ ଏତେ ମାତ୍ରାରେ ବଢ଼ିଛି ଯେ ଆଖପାଖ ଅଞ୍ଚଳର ଦୋକାନୀଙ୍କ ସମେତ ସାଧାରଣ ଲୋକେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି। ହୋମଗାର୍ଡ଼ ବାବୁଜଣକ ଫାଣ୍ଡିର ଜିପ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ବି ବାସ୍ତବରେ କିନ୍ତୁ ଥାନା ଅଧିକାରୀଙ୍କ କ୍ଷମତା ଉପଭୋଗ କରୁଥିବା ଭଳି ଜଣାପଡ଼ୁଛି। ରେମୁଣା ଅଞ୍ଚଳର ଜମି ମାଫିଆ, ରାଜପଥ ଲୁଟେରା, ବାଲି ମାଫିଆ, ତେଲ ମାଫିଆଙ୍କ ସମେତ ଯାବତୀୟ ପ୍ରକାରର ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅପରାଧୀଙ୍କ ସହ ଉତ୍ତମ ସମ୍ପର୍କ ରଖି ଗୃହରକ୍ଷୀ ଜଣକ କ୍ରମଶଃ ବିତ୍ତଶାଳୀ ହୋଇ ଚାଲିଛନ୍ତି। ଜାତୀୟ ରାଜପଥରେ ଯାଉଥିବା ଗୋରୁଗାଡ଼ି, ବାଉଁଶ ଗାଡ଼ି, ଚମଡ଼ା ଗାଡ଼ି, ଧାନ ଗାଡ଼ି, ଚାଉଳ ଗାଡ଼ି, ମାଛ ଜାଆଁଳ ଗାଡ଼ି ସମେତ ସାଧାରଣ ଯାନବାହାନରୁ ବଟି ଆଦାୟ କରିବା ତାଙ୍କର ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଛି। ଗାଡ଼ି ବ୍ୟତୀତ ରେମୁଣା ଅଞ୍ଚଳର କଂଟ୍ରୋଲ ରିିଟେଲରଙ୍କ ଠାରୁ ନିୟମିତ ମାଗଣା ଚାଉଳ, କରୋସିନି, ଗହମ ପ୍ରଭୃତି ନେବା ସାଙ୍ଗକୁ ସ୍ଥାନୀୟ ବଜାରର ଦୋକାନୀଙ୍କଠାରୁ ମାଛ, ମାଂସ, ଗ୍ରୋସରୀ ସଉଦା ଓ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ବି ପଛାଉ ନାହାନ୍ତି ସେ। ବିଭିନ୍ନ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରିଚାଲିଛନ୍ତି ବୋଲି ଅଭିଯୋଗ ହେଉଛି। ଗୋଲେଇ ଫାଣ୍ଡିରେ ମାତ୍ର ୫/୬ ମାସ ରହିବା ମଧ୍ୟରେ ତାଙ୍କର ଚଳଣି ଓ ଆର୍ଥିକ ସ୍ଥିତିର ଆଶାତୀତ ବୃଦ୍ଧି ହୋଇଥିବା ଲକ୍ଷ୍ୟ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଜମି କିଣି ପାରିଥିବା ବେଳେ ଘରେ ୫୦ ହଜାରରୁ ଅଧିକ ଟଙ୍କାର ହିଟାଚି ଏସି, ୪୨ ଇଞ୍ଚ୍‌ର ଏଲସିଡି ଟିଭି, ୨୫ ହଜାର ଟଙ୍କାର ଇନଭୋଟର ସାଙ୍ଗକୁ ପ୍ରତିମାସ ସୁନାଗହଣା କିଣିଚାଲିବା ଗୃହରକ୍ଷୀଙ୍କର ପ୍ରକୃତ ଆର୍ଥିକ ସ୍ଥିତିକୁ ସ୍ପଷ୍ଟ କରିଛି। ଏହାର ତଦନ୍ତ ହେଲେ ଆଉ ସେ କ’ଣ କ’ଣ କରିଛନ୍ତି ତାହା ଜଣାପଡ଼ିବ। ପ୍ରକାଶ ଥାଉ କି କିଛିବର୍ଷ ପୂର୍ବରୁ ଏହି ହୋମଗାର୍ଡ଼ ଜଣକ ଖନ୍ତାପଡ଼ା ଥାନାରେ ଡ୍ୟୁଟି କରୁଥିବା ବେଳେ ‘ଆରଏମସି’ ଚେକ୍‌ପୋଷ୍ଟରୁ ଗାଡ଼ିମାନଙ୍କଠାରୁ ବେଆଇନ୍ ଭାବେ ଟଙ୍କା ଆଦାୟ କରି ବାଲେଶ୍ୱର ଭିଜିଲାନ୍ସ ହାତରେ ଧରାପଡ଼ି ଥିଲେ। ବର୍ତ୍ତମାନର ବାଲେଶ୍ୱର ଜିଲ୍ଲା କ୍ରଇମ୍ ଡିଏସପି ଉମେଶ କୁମାର ପଣ୍ଡା ସେତେବେଳେ ଭିଜିଲାନ୍ସ ଇନ୍‌ସ୍ପେକ୍ଟର ଭାବେ ଏହି ମାମଲାକୁ ପରିଚାଳନା କରିଥିଲେ। ଏନେଇ ହୋମଗାର୍ଡ଼ ଜଣକ ଜେଲ ମଧ୍ୟ ଯାଇଥିଲେ। ଫଳରେ ତତ୍କାଳୀନ ଏସପି ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ଦୀର୍ଘବର୍ଷ ବ୍ୟବଧାନ ପରେ ଚାକିରି ପାଇ ଏହି ହୋମଗାର୍ଡ଼ ଜଣକ ପୁଣି ସେହି ଜାତୀୟ ରାଜପଥ ଫାଣ୍ଡିରେ ଡ୍ୟୁଟି କରିବା ପଛରେ କେଉଁ ରହସ୍ୟ ଅଛି, ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।