Odiapua.com

ରେମୁଆଁ ଅଂଚଳର ୧୧ ଦଫା ଦାବୀ ନେଇ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ତାଳଚେର,୯/୪(ଓଡ଼ିଆପୁଅ/ଅଜିତ କୁମାର ବେହେରା): ତାଳଚେର ପୌରାଚଂଳ ଅନ୍ତର୍ଗତ ୱାର୍ଡ ନଂ-୧୨ ର ରେମୁଆଁ ଅଚଂଳର ୧୧ ଦଫା ଦାବୀ ନେଇ ଗ୍ରାମ୍ୟ କମିଟି ପକ୍ଷରୁ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତାଳଚେର ପୌରାଚଂଳର ୱାର୍ଡ ନଂ-୧୨ ଆୟତନ ପରିସୀମା ଜନସଂଖ୍ୟା ବୃଦ୍ଧି ବିଶିଷ୍ଟ ୱାର୍ଡ ଅଟେ । ଏହାର ପାଶ୍ୱର୍ବର୍ତି ଅଂଚଳ ଗୁଡିକ ମଧ୍ୟରେ ବାଙ୍କଧରା, ଚାଉଳିଆକୁଟା, କଲେଜ ଛକ,ବସ୍‌ଷ୍ଟାଣ୍ଡ, ବାଇପାସ୍ ଛକ ପର୍ଯ୍ୟନ୍ତ ଧୂଳି ଧୂଆଁ, ପ୍ରଦୂଷଣ, ଦୁର୍ଘଟଣା ପାଇଁ ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରେମୁଆଁର ମୁଖ୍ୟ ରାସ୍ତା ଜାତୀୟ ରାଜପଥ ସହିତ ସଂପୃକ୍ତ ଥିବା ଯୋଗୁଁ ଏହି ରାସ୍ତାରେ ପାଲଲହଡା ଅଂଚଳର ବହୁ ଜନସାଧାରଣ ପ୍ରତ୍ୟେକ ଦିନ ଯାତାୟତ କରୁଛନ୍ତି । ଏହା ସହିତ ତାଳଚେର କୋର୍ଟ, ତାଳଚେର କଲେଜ୍‌, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବହୁ ଜନସାଧାରଣ ଆସୁଛନ୍ତି । ଯାତାୟତ ପାଇଁ ଏକମାତ୍ର ରାସ୍ତା ହୋଇଥିବାରୁ ସମସ୍ତ ଜନସାଧାରଣ ଧୂଳିଧୂଆଁ ଯୋଗୁଁ ବିଭିନ୍ନ ବଡ ବଡ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ଦୁର୍ଘଟଣାମାନ ଘଟୁଛି । ଏହି ବିଷୟରେ ରେମୁଁଆ ଗ୍ରାମ୍ୟ କମିଟି ପକ୍ଷରୁ ବହୁବାର ଅଭିଯୋଗ କରିବା ପରେ ମଧ୍ୟ ଲିଙ୍ଗରାଜ କର୍ତୃପକ୍ଷ ଅବହେଳା କରୁଛନ୍ତି। ଏଥିପ୍ରତି ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଏଥିପାଇଁ ଅଂଚଳର ୧୧ ଦଫା ଦାବୀ ଉପରେ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି।
ବାଙ୍କଧରା ଛକ ଠାରୁ ବାଇପାସ୍ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କରାଯିବା, ପ୍ରତ୍ୟେକ ଦିନ ରାସ୍ତାରେ ପାଣି ସିଂଚନ କରିବା, ପ୍ରତିଦିନ ଧୂଳିକୁ ଛାଡୁ ମାରି ଉଠାଯିବା, ଗାଡିର ବେଗ ସ୍ପିଡି ଲିମିଟ୍ ୨୦ କି.ମି. ରଖାଯିବା, ରେମୁଆଁ ଛକ ଠାରେ ଟ୍ରାଫିକ୍ ବ୍ୟବସ୍ଥା କରାଯିବା, ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯିବା, ବାଙ୍କଧରା ଛକ ଠାରୁ ବାଇପାସ୍ ଛକ ପର୍ଯ୍ୟନ୍ତ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବା, ମାଗଣା ସ୍ୱାସ୍ଥ୍ୟ ଶିବିର ଖୋଲାଯିବା। ରାସ୍ତାର ଉଭୟ ପାଶ୍ୱର୍ରେ ପଡୁଥିବା କୋଇଲାଗୁଣ୍ଡ ଓ ଧୂଳିକୁ ସଫା କରାଯିବା, ଏମ୍‌.ସି.ଏଲ୍‌.ର ପାରିପାଶ୍ୱିର୍କ ଉନ୍ନୟନ ପାଣ୍ଠିରୁ ଜରୁରୀକାଳୀନ ଭିତିରେ ସମସ୍ତ କାର୍ଯ୍ୟ କରାଯିବା, ଅଂଚଳବାସୀଙ୍କର ଯାତ୍ରା ମହୋତ୍ସବ ଓ ଶବ ଦାହ ପାଇଁ ଆବଶ୍ୟକ କୋଇଲା ଜାଳେଣି ନିମନ୍ତେ ଅନୁମତି ପ୍ରଦାନ କରାଯିବା ଇତ୍ୟାଦି ଦାବୀ ରହିଛି । ଆଗାମୀ ୭ ଦିନ ମଧ୍ୟରେ ସମାଧାନ କରାନଯାଏ ତେବେ ଅଂଚଳବାସୀଙ୍କ ପକ୍ଷରୁ ଲିଙ୍ଗରାଜ ରୋଡ୍‌ସେଲ୍ ପରିବହନକୁ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଗ୍ରାମ୍ୟ କମିଟି କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ଖଣ୍ଡୁଆଳ, ସଂପାଦକ ନାରାୟଣ ସେଠୀଙ୍କ ସମେତ ଅନ୍ୟ କର୍ମକର୍ତାଗଣ ଉପସ୍ଥିତ ଥିଲେ ।