Odiapua.com

ରେଭେନ୍ସା କଲିଜିଏଟ ସ୍କୁଲ ଓଡିଆ ନବଜାଗରଣର ମୂଳ ପେଣ୍ଠସ୍ଥଳ – ଧର୍ମେନ୍ଦ୍ର ପ୍ରଧାନ

ରେଭେନ୍ସା କଲିଜିଏଟ ସ୍କୁଲର ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାର ଉଦ୍ଘାଟିତ
– ଏଚପିସିଏଲର ସିଏସ୍ଆର୍ ସହଯୋଗରେ ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାର ଲୋକାର୍ପଣ
– କଟକ ସହରକୁ ସୁନ୍ଦର ଓ ସମୃଦ୍ଧଶାଳୀ କରିବାରେ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ସମସ୍ତ ଦାୟିତ୍ୱ ନେବେ
– ପ୍ରଧାନମନ୍ତ୍ରୀଙ୍କ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ’ ତଥା ପ୍ଲାଷ୍ଟିକ୍ ମୁକ୍ତ ଭାରତ ଜାଗରଣର ନେତୃତ୍ୱ ନେଇ ଜନସଚେତନତା ସୃଷ୍ଟି କରିବାକୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ

କଟକ/ଭୁବନେଶ୍ୱର, ସେପ୍ଟେମ୍ବର ୦୬ (ଓଡ଼ିଆ ପୁଅ) – ରେଭେନ୍ସା କଲିଜିଏଟ ସ୍କୁଲ ଓଡିଆ ଲୋକଙ୍କ ପାଇଁ ତୀର୍ଥ ସ୍ଥାନ ଏବଂ ଓଡିଆଙ୍କ ଏକ ମୂଳ ପେଣ୍ଠସ୍ଥଳି ବୋଲି ଶୁକ୍ରବାର କଟକ ସ୍ଥିତ ରେଭେନ୍ସା କଲିଜିଏଟ ସ୍କୁଲର ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାରକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ଏହି ନୂତନ ଲୋକାର୍ପିତ ଲାବ୍ରୋଟରୀ ଓ ଲାଇବ୍ରେରୀ ପାଇଁ ଆବଶ୍ୟକ ଉପକରଣ ଓ ପୁସ୍ତକ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଏଠାରେ ଇ-ଲାଇବ୍ରେରୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଲୋକାର୍ପିତ ହୋଇଥିବା କାମ ପାଇଁ ପୂର୍ବରୁ ଆଗ୍ରହ ପ୍ରକାଶ କରାଯାଇ ଦାୟିତ୍ୱ ନିଆଯାଇଥିଲା। ଭାରତ ସରକାରଙ୍କ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଏଚପିସିଏଲର କର୍ପୋରେଟ ଏଚପିସିଏଲ୍ ସହଯୋଗରେ ସିଏସଆର୍ ଫଣ୍ଡରୁ ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାର ନିର୍ମାଣ ହୋଇଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ସର୍ବପୁରାତନ କଟକ ସହର ସ୍ଥିତି ରେଭେନ୍ସା କଲିଜିଏଟ ସ୍କୁଲରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ମଧୁସୂଦନ ଦାସ ତଥା ଅନେକ ମହାପୁରୁଷ ପାଠ ପଢି ଯାଇଛନ୍ତି। ଆଜି ମଧ୍ୟ ସାଧାରଣ ଘରର ଛାତ୍ରଛାତ୍ରୀମାନେ ଏଠାରେ ପାଠ ପଢୁଛନ୍ତି। ବଡଦେଉଳ ଯେପରି ସମସ୍ତ ଓଡିଆ ଲୋକଙ୍କ ପାଇଁ ପବିତ୍ର ଏହି ସ୍କୁଲର ମାଟି ମଧ୍ୟ ସେତେକି ପବିତ୍ର ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କଟକ ସହର ଅନେକ ଅନୁଷ୍ଠାନର ଭାବନାର କେନ୍ଦ୍ର। କଟକକୁ ବିକଶିତ କରିବାର ସମସ୍ତଙ୍କ ଦାୟିତ୍ୱ ରହିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ମଧ୍ୟ କଟକକୁ ବିକଶିତ କରିବାରେ ସହଯୋଗ କରିବେ। କଟକ ସହରକୁ ସୁନ୍ଦର ଓ ସମୃଦ୍ଧଶାଳୀ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଦାୟିତ୍ୱ ନେବେ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରିବା ଏବଂ ଏହି ସେବା ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ’ ତଥା ପ୍ଲାଷ୍ଟିକ୍ ମୁକ୍ତ ଭାରତ ପାଇଁ ଯେଉଁ କଳ୍ପନା କରିଛନ୍ତି, ତାହାକୁ ସାକାର କରିବା ପାଇଁ ରେଭେନ୍ସା କଲିଜଏଟ ସ୍କୁଲର ଛାତ୍ରଛାତ୍ରୀ ଏହି ଜାଗରଣର ନେତୃତ୍ୱ ନିଅନ୍ତୁ ଓ ଜନସଚେତନତା ସୃଷ୍ଟି କରନ୍ତି ବୋଲି ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆହ୍ୱାନ କରିଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରାଳୟର ଦାୟିତ୍ୱ ବିଷୟରେ ଉଲ୍ଲେଖ କରି କହିଥିଲେ କଟକ ସହରକୁ ପାଇପ ଯୋଗେ ଗ୍ୟାସ ପହଁଚାଯିବାର କାମ ଆରମ୍ଭ ହୋଇଛି। ସତିଚୌରା ଓ ଖାନନଗରରେ ଗ୍ୟାସ ଚାଳିତ ସଂସ୍କାର ଗୃହ ନିର୍ମାଣ କରିବାର ନୀତିଗତ ନିଷ୍ପତି ମଧ୍ୟ ନିଆଯାଇଛି।