ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅଞ୍ଚଳରେ ରେବ ନଦୀର ଉଛୁଳା ପାଣି ସ୍ଥାନୀୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ବ୍ୟାଘାତ ସୃଷ୍ଟି କରିଛି। ବନ୍ୟା ଜଳ ପ୍ରବେଶ କରିବା ଫଳରେ ଧାମନଗର ବ୍ଲକ ର ଭଗବାନ ପୁର ପଞ୍ଚାୟତ ର ତପନେଶ୍ୱର ସରକାରୀ ଉଚ୍ଚ ବିଦ୍ୟାପୀଠ ଏବଂ ଇଛଦା-ତପନେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ଜଳବନ୍ଦୀ ହୋଇପଡ଼ିଛି।ବିଦ୍ୟାଳୟ ପରିସର ସମେତ ଶ୍ରେଣୀଗୃହ ଭିତରେ ବନ୍ୟା ଜଳ ପଶିଯାଇଥିବାରୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବେଞ୍ଚ, ଡେସ୍କ ଓ ଶିକ୍ଷଣ ସାମଗ୍ରୀ ପାଣିରେ ବୁଡ଼ି ରହିଥିବାବେଳେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ଭିତରକୁ ପ୍ରବେଶ କରିପାରୁନାହାନ୍ତି।ବିଦ୍ୟାଳୟର ରୋଷେଇ ଘରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, କୁନି କୁନି ପିଲାମାନେ ନିରାପଦ ଆଶ୍ରୟ ଅଭାବରୁ ବାଧ୍ୟ ହୋଇ ବିଦ୍ୟାଳୟ ବାରଣ୍ଡା ଓ ଗଛମୂଳରେ ବସି ଖାଉଥିବା ଦେଖିବାକୁ ମିଳିଛି। ଏହାଠାରୁ ଅଧିକ ଚିନ୍ତାର ବିଷୟ ହେଉଛି, ବନ୍ୟା ଜଳ ସହ ସାପ ଓ ଅନ୍ୟାନ୍ୟ ବିଷଧର ଜୀବଜନ୍ତୁ ବିଦ୍ୟାଳୟ ପରିସରରେ ବୁଲୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ସ୍ଥାନୀୟ ବାସିନ୍ଦା ଓ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ବିଦ୍ୟାଳୟ ପରିସରରୁ ବନ୍ୟା ଜଳ ନିଷ୍କାସନ ସୁନିଶ୍ଚିତ କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରାଯାଇଛି। ପିଲାଙ୍କ ଶିକ୍ଷାଦାନ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ସାଧାରଣରେ ଦାବି ହେଉଛି।