Odiapua.com

ରେଙ୍ଗାଲିର ଯୁବ ସାମ୍ବାଦିକ ଅଙ୍କିତ ସାହୁଙ୍କୁ ମରଣାନ୍ତକ ଆକ୍ରମଣ, ୭ ଗିରଫ

ସମ୍ବଲପୁର, ୧୮/୦୯ (ଓଡ଼ିଆ ପୁଅ/ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ହୋଟେଲ ବ୍ୟବସାୟୀ ତଥା ଯୁବ ସାମ୍ବାଦିକ ଅଙ୍କିତ ସାହୁ (୩୦)ଙ୍କୁ ବୁଧବାର ସଂଧ୍ୟାରେ କିଛି ଅସାମାଜିକ ଯୁବକ ସାହୁଙ୍କ ହୋଟେଲ ସ୍ପାଇସି ପରିସରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ବୁଧବାର ରାତ୍ରିରେ ସାମ୍ବାଦିକ ସାହୁ ରେଙ୍ଗାଲି ଥାନାରେ ଅଭିଯୋଗ କଲା ପରେ ଥାନା ଅଧିକାରୀ ଧବଳେଶ୍ବର ସାହୁ ହୋଟେଲ ରେ ଲାଗିଥିବା ସିସି ଟିଭି ଫୁଟେଜର ଆଧାରେ ଗୁରୁବାର ସଂଧ୍ୟା ସୁଦ୍ଧା ୭ ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।ସମସ୍ତ ଗିରଫ ଯୁବକଙ୍କୁ ଥାନା କେଶ ନଂ ୧୬୧ ରେ କେଶ ରୁଜୁ କରି ଭାରତୀୟ ଦଣ୍ଡ ବିଧାନ ଆଇନର ବିଭିନ୍ନ ଅପରାଧୀକ ଦଫା ସହ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।ସମସ୍ତ ଗିରଫ ଯୁବକ ରେଙ୍ଗାଲି ଚାଉଳ ଡିପୁ ଗ୍ରାମର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଏହି ମରଣାନ୍ତକ ଆକ୍ରମଣ ଘଟଣାକୁ ସମ୍ବଲପୁର ପୋଲିସ ଆରକ୍ଷୀ ଅଧିକ୍ଷକ ଡ-କନୱର ବିଶାଳ ସିଂ ଏବଂ ଏସଡିପିଓ ତପନ କୁମାର ମାହାନ୍ତି ପ୍ରତ୍ୟକ୍ଷ ଭାବରେ ଅନୁଧ୍ୟାନ କରୁଥିଲେ। ସାମ୍ବାଦିକ ଅଙ୍କିତ ସାହୁ ରେଙ୍ଗାଲି ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ ବୁଧବାର ସଂଧ୍ୟା ୭.୩୦ ମିନିଟ ସମୟରେ ସେ ହୋଟେଲ କାଉଣ୍ଟରେ ବସିଥିବା ସମୟରେ ୧୦/୧୨ ଜଣ ଯୁବକ କାଉଣ୍ଟର ପାଖକୁ ଆସି ଦାଦା ବଟି ମାଗିଥିଲେ ଓ ପରେ ଅତର୍କିତ ଭାବରେ ଠେଙ୍ଗା ଓ ଲୁହାରଡରେ ମରଣାନ୍ତକ ଆକ୍ରମଣ କରି ହୋଟେଲରେ ଲାଗିଥିବା କାଚ କବାଟ ଝରକା ଭାଙ୍ଗି ତାଙ୍କ ସାର୍ଟ ପକେଟରେଥିବା ୫ ହଜାର ଟଙ୍କାକୁ ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଯୁବକଙ୍କ ଆକ୍ରମଣରେ ସାମ୍ବାଦିକ ସାହୁଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା।ଘଟଣା ସମୟରେ ସାହୁଙ୍କ ବାପା ଏବଂ ହୋଟେଲର ସୁରକ୍ଷା କର୍ମୀ ବାରଣ କରିବାରୁ ତାଙ୍କୁ ମଧ୍ୟ ଯୁବକ ମାନେ ମାଡପିଟ କରିଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରିବା ସହ ରେଙ୍ଗାଲି ପ୍ରେସ୍ ୟୁନିଅନ (ଛାପା ଗଣମାଧ୍ୟମ) ଏବଂ ବୈଦ୍ଯୁତିକ ସାମ୍ବାଦିକ ସଂଘ ରେଙ୍ଗାଲି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।