Odiapua.com

ରୁଗ୍ଣ ଅସହାୟ ସୁବଳୟାଙ୍କ ପାଇଁ ଆବାସ ଯୋଜନା ସାତ ସପନ, ପଡୋଶୀଙ୍କ ସହାୟତାରେ ବିତୁଛି ଜୀବନ

ସମ୍ବଲପୁର, ୨୩/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): କୌଣସି ଲୋକ ମାଟିଘରେ ରହିବେ ନାହିଁ, ଭୋକ ଉପାସରେ ରହିବେ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଡିଣ୍ଡିମ ପିଟୁଛନ୍ତି ସତ, ହେଲେ ତୃଣମୂଳ ସ୍ତର ଗାଁ ଗହଳି ରେ ଚିତ୍ର ପ୍ରକୃତରେ ଭିନ୍ନ।

ପ୍ରତ୍ୟେକ ପଞ୍ଚାୟତରେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ନ କରି ପ୍ରିୟାପ୍ରିତୀରେ ଧନୀ ତଥା ଅଯୋଗ୍ୟ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ, ବିଜୁ ପକ୍କା ଘର, ମୋ କୁଡିଆ ଆଦି ଯୋଜନାରେ ସାମିଲ କରାଯାଇଥିବା ଅନେକ ଦୃଶ୍ୟ ସାମନାକୁ ଆସୁଛି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜ଼ିଲ୍ଲା ଧନକଉଡା ବ୍ଲକ କର୍ଡୋଲା ପଞ୍ଚାୟତ କର୍ଡୋଲା ଗ୍ରାମରେ। ଧନକଉଡା ବ୍ଲକ ଅଞ୍ଚଳରେ ଆବାସ ଗୃହଟିଏ ପାଇଁ ୧୦ ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଲେଣଦେଣ ହେଉଥିବା ମଧ୍ୟ ବେଳେ ବେଳେ ଅଭିଯୋଗ ହେଉଛି। କେତେକ ଦଳାଲ ମାଧ୍ୟମରେ ହିତାଧିକାରୀ ଚୟନ ହେଉଥିବାବେଳେ, ପ୍ରକୃତ ହିତାଧିକାରୀ ଙ୍କ ପାଇଁ ଘର ଖଣ୍ଡିଏ ମିଳିବା ସାତସପନ ହୋଇଯାଇଛି। ଏହାର ଜ୍ବଳନ୍ତ ଉଦାହରଣ ଭାବେ ଦୃଶ୍ୟମାନ ହୋଇଛି କର୍ଡୋଲା ଗ୍ରାମର ବିଧବା ସୁବଳୟା ସେଠ (୭୫) ଙ୍କ କରୁଣ କାହାଣୀ। ଜାତିରେ ସେ ଧୋବା ଥିବାବେଳେ, ଏକଦା ଗାଁ ଲୋକଙ୍କ କପଡା ସଫାକରି କୁଟୁମ୍ବ ଚଳାଉଥିଲେ। କିଛି ବର୍ଷ ପୂର୍ବରୁ ତାଙ୍କ ସ୍ବାମୀ ରଥି ସେଠଙ୍କ ମୃତ୍ୟୁପରେ ସେ ଭାଙ୍ଗିପଡି ପକ୍ଷଘାତ ରୋଗରେ ପୀଡିତ ହୋଇ ଅସହାୟଃ ଅବସ୍ଥାରେ ପଡିରହିଛନ୍ତି। ବର୍ତ୍ତମାନ ପଡୋଶୀ ଙ୍କ ସହାୟତାରେ ଝାଟିମାଟି ତାଳବରଡାର ଘରରେ ଜୀବନ ବିତାଉଥିବାବେଳେ, ପଡାବାସୀଙ୍କ ପଖାଳ ମୁଠାଏରେ ଜୀବନ ବଞ୍ଚାଇଛନ୍ତି। ସାଙ୍ଗରେ ଅବିବାହିତ ବେଡାପୁଅଟିଏ ଥିବାବେଳେ, ତା ପାଇଁ ରୁଗ୍ଣ ବୁଢୀ ମାଉସୀଙ୍କ ସବୁବେଳେ ଚିନ୍ତା। ଏପରି ସ୍ଥିତିର ବୁଢିମାଉସୀ ଲୋତକ ଭରା କଣ୍ଠରେ ଆମ ପ୍ରତିନିଧିଙ୍କ କହିଛନ୍ତି ଯେ, ” ମୋର ମୁନୁଷ ଥିଲା ବେଳୁ ଇନ୍ଦିରାଆବାସ ଟେ ଲାଗି ସରପଞ୍ଚ ନୁ ବିଡିଓ ସମ୍ କୁ ଗୁହାରୀ କରିଆସୁଛେ ଯେ କେହି ନାଇଁ ଶୁନବାର କେ। ମୋର୍ ମୁନୁଷ ତ ଚାଲି ଗଲେନଁ ମୁଇଁ ବି ଏଦେ ସାଦେ ମରିଯିମିଁ। ଘର୍ ଗୁଟେ ହେଲେ ମୋର୍ ବେଡା ପୁଓଟା ରହେତା। ଭତ୍ତା ଲାଗି ବି ଦୌଡ଼ି ଦୌଡି ନାଇଁ ହେଉଥିଲା, ହେଲେ ମଲା ବେଲକେ ଭତ୍ତା ଟିକେ ହେଇଛେ। ମୋର ଛୁଆର ଲାଗି ଘରଗୁଟେ କରେଇ ଦେଲେ ମୁଇଁ ଟିକେ ଶାନ୍ତ ଥ୍ ମରି ପାରତି ” ବୋଲି କାନ୍ଦିକାନ୍ଦି କହିଛନ୍ତି। ଏଣୁ ବିଧବା ସୁବଳୟା ସେଠ୍ ଙ୍କ କରୁଣ କାହାଣୀ କୁ ଦେଖି ଜ଼ିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ସହିତ ସରକାରୀ ପକ୍କା ଘରଟିଏ ଦେବା ବ୍ୟବସ୍ଥା କରିବା ଏବଂ ଅନ୍ୟାନ୍ୟ ସାହାଯ୍ୟ କରିବାକୁ ସଚେତନ ମହଲରେ ଦାବି ହୋଇଛି।