Odiapua.com

ବରିଷ୍ଠ ରାଜସ୍ବ ସହାୟକଙ୍କ ବିୟୋଗରେ ଜିଲ୍ଲା ପ୍ରଶାସନର ଶୋକବ୍ୟକ୍ତ

ପୁରୀ, ୧୯।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବରିଷ୍ଠ ରାଜସ୍ବ ସହାୟକ ଶ୍ରୀ ଦୀନବନ୍ଧୁ ଜେନାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ନିଜାରତ ଅଧିକାରୀ ଶ୍ରୀ ପ୍ରଭାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। ଗତ ୧୭ ତାରିଖରେ ଶ୍ରୀ ଜେନା ୩୯ ବର୍ଷ ବୟସରେ କରୋନାରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲରେ ପ୍ରାଣ ହରାଇଥିଲେ। ସେ ଜିଲ୍ଲାରେ ୨୦୧୨ ମସିହାରେ କନିଷ୍ଠ ରାଜସ୍ବ ସହାୟକ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ୨୦୧୭ ମସିହାରୁ ଜିଲ୍ଲା ଆପଦ କାଳୀନ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ବ ସହାୟକ ଭାବେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। ଏଥିସହ ଜିଲ୍ଲା ରେଡକ୍ରସ ସମିତିର ଅତିରିକ୍ତ ଦାୟିତ୍ବ ମଧ୍ୟ ସଫଳତାର ସହ ତୁଲାଇଛନ୍ତି। ସେ ଜଣେ ମେଳାପୀ, ବନ୍ଧୁ ବତ୍ସଳ ଏବଂ ସହୃଦୟ ବ୍ୟକ୍ତିଭାବେ କଲେକ୍ଟରେଟରେ ପରିଚିତ ଥିଲେ। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ସରକାରଙ୍କ ନୀୟମ ଅନୁଯାୟୀ ସମସ୍ତ ସହାୟତା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।