Odiapua.com

ରିଲିଫ ଚାଉଳ ବଣ୍ଟନକୁ ନେଇ ଦୋବଲ ପଞ୍ଚାୟତରେ ଉତ୍ତେଜନା

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦୋବଲ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ ଚାଉଳ ଆଜି ବଣ୍ଟନକୁ ନେଇ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ସମୟ ପାଇଁ ସରପଞ୍ଚ ଓ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀଙ୍କୁ ଅଟକରଖି ହୋ-ହାଲ୍ଲା କରି ପ୍ରତିବାଦ କରିଥିଲେ। ଘଟଣାରୁ ପ୍ରକାଶ ଯେ, ବନ୍ୟା ବିପନ୍ନଙ୍କ ପାଇଁ ରାଜ୍ୟ ସରକାର ପ୍ରତି ପରିବାରକୁ ୫୦ କିଲୋ ଚାଉଳ ସହିତ ନଗଦ ୫ଶହ ଟଙ୍କା ଲେଖାଏଁ ରିଲିଫ ଆକାରରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଗତକାଲି ଭଦ୍ରକ ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଧାମନଗର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନରେ ଆସି ବିଭିନ୍ନ ରିଲିଫ ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ପହଞ୍ଚିଥିଲେ। ଲୋକମାନେ ଚାଉଳ ବସ୍ତାରେ କମ ରହୁଥିବା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜିଲାପାଳ ଜ୍ଞାନ ଦାସ ବିପନ୍ନମାନେ ସନ୍ଦେହ କଲେ ଓଜନ କରି ୫୦ କିଲୋ ଚାଉଳ ନେବାକୁ ପରାମର୍ଶ ଦେଇଥିଲେ। ଏହି ନିୟମ ଅନୁଯାୟୀ ଗତକାଲି ଦୋବଲ ପଞ୍ଚାୟତର ୨ଟି ୱାର୍ଡର ବିପନ୍ନ ପରିବାରଙ୍କୁ ୫୦ କିଲୋ ଲେଖାଏଁ ଚାଉଳ ଓଜନ କରି ଦିଆଯାଇଥିଲା। ମାତ୍ର ଆଜି ପଞ୍ଚାୟତର ୨ ଓ ୬ ନମ୍ବର ୱାର୍ଡକୁ ରିଲିଫ ସାମଗ୍ରୀ ନେବାକୁ ସ୍ଥାନୀୟ ଏସଏଜେ ହାଇସ୍କୁଲକୁ ଡକାଯାଇଥିଲା। ସେଠାରେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ରିଲିଫ ବଣ୍ଟନ ଆରମ୍ଭ ହୋଇଥିଲା। ହେଲେ ବସ୍ତାରେ ଚାଉଳ କମ ଥିବା ଅନୁମାନ କରି କେତେ ବିପନ୍ନ ଓଜନ କରି ଚାଉଳ ନେବାକୁ ଯିଦ ଧରିଥିଲେ। କିନ୍ତୁ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଏଥିରେ ଅମଙ୍ଗ ହୋଇଥିଲେ। ପରେ ବିପନ୍ନମାନେ ଯଦି ଓଜନ ନକରିବେ ତେବେ ସରକାରୀ ବସ୍ତାରେ ଆସିଥିବା ଚାଉଳ ସହିତ ବସ୍ତା ନେବାକୁ ଯିଦ ଧରିଥିଲେ୍। ଏହାକୁ ନେଇ ସେଠାରେ ଉ୍େ‌ତଜନା ଓ ହୋ-ହାଲ୍ଲା ପରିସ୍ଥିତି ସୃଷ୍ଟି ହେବାରୁ ବହୁ ସମୟ ଧରି ରିଲିଫ ସାମଗ୍ରୀ ବଣ୍ଟନ ବନ୍ଦ ରହିଥିଲା। ଏପରିକି ବହୁ ସମୟ ଅପେକ୍ଷା କରି ଶେଷରେ ୬ ନମ୍ବର ୱାର୍ଡର ବିପନ୍ନମାନେ ରିଲିଫ ନନେଇ ଘରକୁ ଫେରିଥିଲେ। ଏସଂପର୍କରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କରଙ୍କ ସହିତ ଯୋଗାଯୋଗ କରିବାରୁ ସେ କହନ୍ତି ବିଭିନ୍ନ କାରଣକୁ ନେଇ କେତେକ ବ୍ୟକ୍ତି ବିରୋଧ କରିଥିଲେ। ଯାହାଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଘଟଣାର ସମାଧାନ କରାଯାଇ ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।