Odiapua.com

ରିଲିଫ୍ ବଣ୍ଟନରେ ଅନିୟମିତାକୁ ବିରୋଧ କରି ବିଜେପିର ଗଣଧାରଣା : ଦାବୀ ପୂରଣ ନହେଲେ ଗାନ୍ଧି ଜୟନ୍ତୀରୁ ହେବ ଆମରଣ ଅନଶନ – ବଦ୍ରି

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ବନ୍ୟାରେ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଭଳି ବ୍ଲକରେ ବନ୍ୟା ହୋଇ ବ୍ୟାପକ କ୍ଷତି ଘଟିଛି । ସରକାର ବନ୍ୟା ବିପନ୍ନ ପରିବାରକୁ ରିଲିଫ ବାବଦକୁ ଚାଉଳ ଓ ଟଙ୍କା ପ୍ରଦାନ କରୁଛନ୍ତି । ତେବେ ଏହି ରିଲିଫ ଶାସକ ଦଳର ନେତାଙ୍କ ଇଙ୍ଗିତରେ ଦଳୀୟ ଭିତ୍ତିରେ ବଣ୍ଟନ କରାଯାଉଛି । ଯାହା ଫଳରେ ବହୁ ଯୋଗ୍ୟ ପରିବାର ରିଲିଫ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଗୋଟିଏ ଯୌଥ ପରିବାରରୁ ଏକାଧିକ ଲୋକଙ୍କୁ ରିଲିଫ ଦିଆ ଯାଉଛି । ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ରହଣିଆ ଓ କୁରିଗାଁ ପଞ୍ଚାୟତରେ ବନ୍ୟା ପ୍ରଭାବିତ ଗ୍ରାମ ଓ ବାଦ୍ ପଡିଥିବା ପରିବାରମାନଙ୍କୁ କ୍ଷତିଗ୍ରସ୍ତ ତାଲିକାରେ ଅନ୍ତର୍ଭୁକ୍ତ କରି ସରକାରୀ ରିଲିଫ ପ୍ରଦାନ ଦାବୀରେ ଆଜି ବିଜେପି ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋବିଡ଼ ନିୟମକୁ ପାଳନ କରି ଗଣଧାରଣା ଦିଆଯାଇଛି । ଏଠାରେ ପ୍ରକାଶ ଥାଉକି ସମାନ ଦାବୀ ନେଇ ବିଜେପି ପକ୍ଷରୁ ଭଣ୍ଡାରିପୋଖରୀ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ପରେ ସ୍ଥାନୀୟ ବିଡିଓ, ତହସିଲଦାର, ବ୍ଲକ ପ୍ରାଣୀଧନ ଅଧିକାରୀ ମିଳିତ ଭାବେ ରହଣିଆ ପଞ୍ଚାୟତର ନୂଆପୋଖରୀ ଓ ସନ୍ତରାପଡା ଗ୍ରାମକୁ ଯାଇ କ୍ଷେତ୍ରୀୟ ଅନୁଧ୍ୟାନ କରିଥିଲେ । ସେଠାରେ ଉପରୋକ୍ତ ଦୁଇ ଗୋଟି ଗ୍ରାମକୁ ରିଲିଫ୍ ତାଲିକାରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଥିବା ଜାଣି ବିଡିଓ ତାଙ୍କ ପତ୍ର ସଂଖ୍ୟା ୩୨୨୫, ତା୨ା୯ା୨୦୨୦ରିଖରେ ଉକ୍ତ ଦୁଇ ଗ୍ରାମକୁ ରିଲିଫ ତାଲିକାଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ମାତ୍ର ଦୀର୍ଘ ୨୫ ଦିନରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଆଜିଯାଏ ଉକ୍ତ ଦୁଇ ଗ୍ରାମକୁ ରିଲିଫ ତାଲିକାଭୁକ୍ତ କରାଗଲା ନାହିଁ । ସେହିପରି ଦେଉଳପଦୀ ଓ ନୌରଙ୍ଗପୁର ଗ୍ରାମରେ ବହୁ କ୍ଷତିଗ୍ରସ୍ତ ପରିବାର ରିଲିଫରୁ ବଞ୍ଚିତ ହୋଇଛନ୍ତି । ଏହି ବ୍ଳକ ଅନ୍ତର୍ଗତ କୁରିଗାଁ ପଞ୍ଚାୟତର ୧୨, ୧୩, ଓ ୧୪ ନଂ ୱାର୍ଡ ବନ୍ୟା କ୍ଷତିଗ୍ରସ୍ତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ୩ଟି ୱାର୍ଡରେ ରିଲିଫ ପ୍ରଦାନ କରାଯାଇ ନାହିଁ । ରିଲିଫ୍ ତାଲିକାଭୁକ୍ତ କରାଯିବା ଦାବୀ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଯୁବନେତା ବନମାଳୀ ଜେନା, ବିକାଶ ଶ୍ରେଷ୍ଠା, ସପନ ଦାସ, କୃଷକ ନେତା ଶଙ୍କର୍ଷଣ ଜେନା ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଉକ୍ତ ଆନ୍ଦୋଳନକୁ ନୈତିକ ସମର୍ଥନ ଯୋଗାଇଥିବା ବେଳେ ରହଣିଆ ପଞ୍ଚାୟତରୁ ପ୍ରଫୁଲ୍ଲ ବେହେରା, ବିଶ୍ୱନାଥ ତ୍ରିପାଠୀ, ପ୍ରକାଶ ନାୟକ, ପ୍ରଦୀପ ଜେନା, ନୀଳକଣ୍ଠ ଜେନା, ଗୋବର୍ଦ୍ଧନ ବଳ, ସାମନ୍ତ ପ୍ରଧାନ, ଅଚ୍ୟୁତ ରାଉତ, ସୁଧାକର ସାମଲ, ଧୀରେନ୍ଦ୍ର ସାମଲ, ସୁରେନ୍ଦ୍ର ଜେନା ଓ କୁରିଗାଁ ପଞ୍ଚାୟତରୁ ଭାଷ୍କର ଜେନା, ଗୌରାଙ୍ଗ ପାତ୍ର, ମନୋଜ ଜେନା, ସଞ୍ଜୟ ଶଙ୍ଖୁଆ, ବିରଞ୍ଚି ଶଙ୍ଖୁଆ ପ୍ରମୁଖ ଗଣଧାରଣାରେ ବସିଥିଲେ । ପରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ମନୋରମା ଭୁୟାଁ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ସହ ଦାବୀପତ୍ର ଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ବନ୍ୟା କ୍ଷତିଗ୍ରସ୍ତ ଗ୍ରାମ ଓ ରିଲିଫ୍ ତାଲିକାରୁ ବାଦ୍ ପଡିଥିବା ପରିବାରଙ୍କୁ ପ୍ରଶାସନ ୩ ଦିନ ମଧ୍ୟରେ ରିଲିଫ ଯୋଗାଇ ନ ଦେଲେ ଆସନ୍ତା ଗାନ୍ଧି ଜୟନ୍ତୀ ଦିନ ଠାରୁ ବିଜେପି ନେତା ବଦ୍ରିନାରାୟଣ ଧଳ ଆମରଣ ଅନଶନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।