Odiapua.com

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିଟ୍ ଲାଭ ୪୦.୮% ବୃଦ୍ଧି ପାଇ ୧୯, ୪୪୩ କୋଟି ଟଙ୍କା

ମୁମ୍ବାଇ/ ଭୁବନେଶ୍ୱର (ଓଡ଼ିଆ ପୁଅ): ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ନିଟ୍ ଲାଭରେ ୪୦.୮% ବୃଦ୍ଧି ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍ ଲାଭ ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ତୁଳନାରେ ବୃଦ୍ଧି ପାଇ ୧୯, ୪୪୩ କୋଟି ଟଙ୍କା ହୋଇଛି।

ସେହିପରି, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ନିଟ୍ ଲାଭ ୧୧୪.୨% ବୃଦ୍ଧି ପାଇ ୨, ୦୬୧ କୋଟି ଟଙ୍କା ହୋଇଛି। ଆଲୋଚ୍ୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ମୋଟ ରାଜସ୍ୱ ୫୧.୯% ବୃଦ୍ଧି ପାଇ ୫୮, ୫୫୪ କୋଟି ଟଙ୍କା ହୋଇଛି। ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ ୭୨୦ ଷ୍ଟୋର ଖୋଲିଛି, ଫଳରେ ମୋଟ ଷ୍ଟୋର ସଂଖ୍ୟା ୧୫, ୯୧୬ରେ ପହଂଚିଛି ଯାହା ଦେଶର କୋଣ ଅନୁକୋଣରେ ୪୩.୨ ନିୟୁତ ବର୍ଗଫୁଟରେ ପରିବ୍ୟାପ୍ତ ରହିଛି। ରିଲାଏନ୍ସ ରିଟେଲ୍ ଏହି ତ୍ରୈମାସିକରେ ୧୭, ୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି।

ରିଲାଏନ୍ସର ଓ୨ସି ଶ୍ରେଷ୍ଠ ତ୍ରୈମାସିକ ପ୍ରଦର୍ଶନ କରି ସର୍ବକାଳୀନ ସର୍ବୋଚ୍ଚ ରାଜସ୍ୱ ଓ ଇବିଆଇଟିଡିଏ ହାସଲ କରିଛି। ଉଚ୍ଚ ଅଶୋଧିତ ତୈଳ ଓ ଉତ୍ପାଦ ମୂଲ୍ୟ ଯୋଗୁଁ ତ୍ରୈମାସିକରୁ ତ୍ରୈମାସିକ ଭିତିରେ କ୍ଷେତ୍ର ରାଜସ୍ୱ ୫୬.୭% ବୃଦ୍ଧି ପାଇ ୧, ୬୧, ୭୧୫ କୋଟି ଟଙ୍କା ହୋଇଛି।

ଏହିଭଳି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ନିଟ୍ ଲାଭ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇ ୪, ୩୩୫ କୋଟି ଟଙ୍କା ହୋଇଛି। ୨୦୨୨ ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ କଂପାନିର ନିଟ୍ ଲାଭ ୨୩.୮ ପ୍ରତିଶତ ବୃଦ୍ଧି ପାଇ ୪, ୩୩୫ କୋଟି ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ୩, ୫୦୧ କୋଟି ଟଙ୍କା ଥିଲା। ୨୦୨୨ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ପରିଚାଳନାରୁ ରିଲାଏନ୍ସ ଜିଓର ରାଜସ୍ୱ ୨୧, ୮୭୩ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ରାଜସ୍ୱ ତୁଳନାରେ ୨୧.୫ ପ୍ରତିଶତ ଅଧିକ।