Odiapua.com

ରିକ୍ସା ଚାଳକଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାର ଉଦାସୀନ – ବାଲେଶ୍ୱର ରିକ୍ସାଚାଳକ ସଂଘର ସାଧାରଣ ବୈଠକରେ ଉଦବେଗ

ବାଲେଶ୍ୱର, ୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ରିକ୍ସା ଚାଳକ ସଂଘର ପୌରାଞ୍ଚଳସ୍ଥିତ ରିକ୍ସାଷ୍ଟାଣ୍ଡ୍ ସଂପାଦକ ଓ ସହ-ସଂପାଦକଙ୍କୁ ନେଇ ଏକ ବୈଠକ ଉଠାଜଳସେଚନ କର୍ମଚାରୀ ସଂଘ ସଭାଗୃହରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ତଥା ପୂର୍ବତନ ବିଧାୟକ ଅରୁଣ ଦେ ଏଥିରେ ଅଧ୍ୟକ୍ଷତା କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ରିକ୍ସାଚାଳକମାନେ ସାମ୍ନା କରୁଥିବା ବିଭିନ୍ନ୍‍ ସମସ୍ୟା ଓ ରିକ୍ସାଷ୍ଟାଣ୍ଡଗୁଡ଼ିକରେ ଦେଖା ଦେଇଥିବା ଅବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ପୌରପାଳିକା ପକ୍ଷରୁ ଚିହ୍ନଟ କରାଯାଇଥିବା ରିକ୍ସା ଷ୍ଟାଣ୍ଡମାନଙ୍କରୁ ଷ୍ଟାଣ୍ଡ୍‌ବୋର୍ଡ଼ ଭାଙ୍ଗିଦେଇ କେତେକ ଷ୍ଟାଣ୍ଡ୍‌ରେ ଟେମ୍ପୋ ଓ ଗୁମୁଟି ରହୁଥିବାକୁ ନେଇ ଏହି ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପୌର କର୍ତ୍ତୃପକ୍ଷ ତୁରନ୍ତ ଷ୍ଟାଣ୍ଡବୋର୍ଡ଼ ଲଗାଇ ବେଆଇନ ଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ବୈଠକରେ ଦାବି କରାଯାଇଛି। ଏଆଇଟିୟସି ଜିଲା ସଭାପତି ଭାଗବତ ପ୍ରତିହାରୀ, ରିକ୍ସାଚାଳକ ସଂଘର କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ଯୋଗଦେଇ କରୋନାର କଟକଣା ମଧ୍ୟରେ ଗରିବ ରିକ୍ସାଚାଳକମାନେ ରୋଜଗାର ହରାଇଥିଲେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା ଦିଆଯାଇ ନଥିବା କହିଥିଲେ। ଫଳରେ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରିବା ସମ୍ଭବ ନହେବାରୁ ସହରରେ ରିକ୍ସାଚାଳକ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସରକାର ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ରିକ୍ସାଚାଳକଙ୍କୁ ସାମାଜିକ ସୁରକ୍ଷା ନିମନ୍ତେ କୌଣସି ଯୋଜନା କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ସେହିଭଳି ନୂତନ ଶ୍ରମ ଆଇନ ଓ ନୂତନ କୃଷି ଆଇନରେ ମେହନତି ମଣିଷମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିବାକୁ ଉଦ୍ୟମ ହେଉଛି ବୋଲି କର୍ମକର୍ତ୍ତାମାନେ କହିଥିଲେ। ସଂଘର ସାଧାରଣ ସଂପାଦକ ସେକ ସଲ୍ଲାଉଦ୍ଦିନ ଓ କୋଷାଧ୍ୟକ୍ଷ ଉମାକାନ୍ତ ଜେନା ଏଥିରେ ବିବରଣୀ ଉପସ୍ଥାପନ କରିଥିଲେ। ଆସନ୍ତା ମାର୍ଚ୍ଚ ମାସର ୨ୟ ସପ୍ତାହରେ ସଂଘର ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ ପାଇଁ ବୈଠକରେ ନିଷ୍ପତ୍ତିଗ୍ରହଣ କରାଯାଇଛି। ଆଲୋଚନାରେ ରାଧାକାନ୍ତ ବେହେରା, ସେକ୍ ଜଗ, ସର୍ବେଶ୍ୱର ହାଁସଦା, ଭରତ ବେହେରା ଓ ସେକ ଅକତାର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶ୍ରୀଧର ମୁଦୁଲି ଧନ୍ୟବାଦ ଦେଇଥିଲେ।