Odiapua.com

ରାଢ଼ୋ ଗ୍ରାମର ନାୟକସାହି ଓ ରାଉତ ସାହିକୁ କଚାରାସ୍ତା ହିଁ ସାହା

ଭଦ୍ରକ, ୧୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଞ୍ଚାୟତର ରାଢ଼ୋ ଗ୍ରାମର ୩ ନଂ ୱାର୍ଡ ନାୟକ ସାହି ଓ ୪ନଂ ୱାର୍ଡ ରାଉତ ସାହିର ବାସିନ୍ଦା ଭଣ୍ଡାରିପୋଖରୀ-ମଣିନାଥପୁର ମୁଖ୍ୟରାସ୍ତାକୁ ପାଦଚଲା ପଡିଆ ବାଟେ କଚାରାସ୍ତାରେ ଘରୁ ବାହାରୁଥିବା ପ୍ରକାଶ କରିଛନ୍ତି। ଏହି ଦୁଇ ସାହିରେ ବସବାସ କରୁଥିବା ପ୍ରାୟ ଷାଠିଏରୁ ଅଧିକ ପରିବାର ବିଦ୍ୟାଳୟ କିମ୍ବା ହାଟବଜାର ଅଥବା ଡାକ୍ତରଖାନା କିମ୍ବା ପଞ୍ଚାୟତ ଭଳି ସରକାରୀ କାର୍ଯ୍ୟାଳୟକୁ ପଡିଆର କଚା ରାସ୍ତା ଏକମାତ୍ର ସାହା। ଭିନ୍ନ ଭିନ୍ନ ୱାର୍ଡ ପାଇଁ ଭିନ୍ନ ଭିନ୍ନ କଚା ରାସ୍ତା ରହିଛି। ପ୍ରତ୍ୟେକ ରାସ୍ତାର ଦୈର୍ଘ୍ୟ ଏକ କିଲୋମିଟର ମଧ୍ୟରେ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗ୍ରାମରେ ଖୋଦ ସରପଞ୍ଚଙ୍କ ବାସଭବନ ଅବସ୍ଥିତ। ପୂର୍ବତନ ସରପଞ୍ଚ ବିରେନ୍ଦ୍ର ନାୟକ ଓ ଏବର ସରପଞ୍ଚ ଅଲିଭା ନାୟକ ଏହି ସମସ୍ୟା ସହ ଓତପ୍ରୋତ ଭାବେ ଜଡିତ। ହେଲେ କାହିଁ କେଉଁ ଅଜଣା କାରଣ ପାଇଁ ଦୁଇ ୱାର୍ଡର ରାସ୍ତା ଦ୍ୱୟକୁ ସ୍ଥାୟୀ ପକ୍କା ରାସ୍ତାରେ ପରିଣତ କରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। ମାତ୍ର ଦୁଇ ୱାର୍ଡର ବାସିନ୍ଦା ଏବେ ବର୍ଷା ଦିନେ ହିନସ୍ତା ହେବା ଦୁଃଖକୁ ସରପଞ୍ଚ ଅନୁଭବ କରି ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଅନ୍ତୁ ବୋଲି ନିବେଦନ କରିଛନ୍ତି। ତେବେ ଚଳିତ ମାସ ଶେଷ ବେଳକୁ ଏହି ରାସ୍ତା ଦ୍ୱୟର ନିର୍ମାଣ କାର୍ଯ୍ୟଆରମ୍ଭ ହେବ ବୋଲି ସରପଞ୍ଚ ଅଲିଭା ନାୟକ କହିଛନ୍ତି।