Odiapua.com

ରାହୁଲ ଗାନ୍ଧୀଙ୍କୁ ଉତରପ୍ରଦେଶ ପୋଲିସ୍‌ର ବର୍ବୋରୋଚିତ ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ

ଭୁବନେଶ୍ୱର ତା ୨-୧୦ (ଓଡ଼ିଆ ପୁଅ)– ରାହୁଲ ଗାନ୍ଧୀଙ୍କୁ ଉତରପ୍ରଦେଶ ପୋଲିସ୍‌ର ବର୍ବର ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରାକ୍ତନ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଆଜି ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରୀ ଚୌଧୁରୀଙ୍କ ସହ ଶତାଧିକ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଂଟିନ ଛକରେ ରାସ୍ତା ଅବରୋଧ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରିଥିଲେ।

ଏହି ପ୍ରସଙ୍ଗରେ ଶ୍ରୀ ଚୌଧୁରୀ କହିଥିଲେ ଯେ ହାଥରସ୍ ଗଣଦୁଷ୍କର୍ମର ଅପରାଧିଙ୍କୁ ପୋଲିସ୍ ଏପର୍ଯ୍ୟନ୍ତ ଗିରଫ କରିପାରିନଥିବା ବେଳେ ମୃତ ପୀଡ଼ିତାର ପରିବାରବର୍ଗଙ୍କୁ ସମବେଦନା ଜଣାଇବା ପାଇଁ ଯାଉଥିବା ବେଳେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଉତରପ୍ରଦେଶ ପୋଲିସ୍ ଦ୍ୱାରା ବର୍ବୋରୋଚିତ ଆକ୍ରମଣ କରାଯାଇଛି। ଏହା ଗଣତନ୍ତ୍ର ଉପରେ ଆକ୍ରମଣ। ଉଭୟ ମୋଦି ଓ ଯୋଗୀ ଉତରପ୍ରଦେଶରେ ନାଜିବାଦ ଶାସନ ଚଳାଇଛନ୍ତି ବୋଲି ଶ୍ରୀ ଚୌଧୁରୀ ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ୍ ଏପରି ଅମାନୁଷିକ କାର୍ଯ୍ୟ କରିଛି। ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଏପଟେ ମୃତ ପୀଡ଼ିତାର ପରିବାରକୁ ପୋଲିସ୍ ନିର୍ଯ୍ୟାତନା ଦେଉଛନ୍ତି ଏବଂ ଦେଶବ୍ୟାପି ଆନ୍ଦୋଳନ ପରେ ଏସ୍‌ଆଇଟି ତଦନ୍ତ କରାଯାଉଛି। ମୋଦୀ- ଯୋଗୀଙ୍କ ହାତବାରିସ୍ ସାଜି ପୋଲିସ୍ ଏବେ ଫୋରେନସିକ ରିପୋର୍ଟକୁ ମଧ୍ୟ ବଦଳାଇ ସାରିଲାଣି। କଂଗ୍ରେସ ଗଣତନ୍ତ୍ରର କଣ୍ଠରୋଧ ଏବଂ ଦଳିତ ମହିଳାଙ୍କୁ କ୍ରମବ୍ରର୍ଦ୍ଧିଷ୍ଣୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଦୁର୍ବାର ଆନ୍ଦୋଳନ କରିବ। ଏହି ଘଟଣାରେ ସାଧାରଣ ଜନତା ବିଜେପି ସରକାରକୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ରସିକ ପଟ୍ଟନାୟକ, ଜୟକୃଷ୍ଣ ସୁବୁଦ୍ଧି, ରାଜୀବ ପଟ୍ଟନାୟକ, ଅକ୍ଷୟ ଦାସ, ପ୍ରଶନ୍ନ ନାୟକ, ରମାକାନ୍ତ ସାହୁ, ୟାସିର ନୱାଜ, ଶ୍ରେୟା ପଣ୍ଡା, କୁସୁମ ପ୍ରଧାନ, ସଂଜୀବ ପୁଜାପଣ୍ଡା, ଦେବରାଜ ମିଶ୍ର, ମନୋଜ ସାହୁ, ନାରଣ ଜେନା, ଆଦିତ୍ୟ ଦାସ, ସଂକୁନା କହଁର, ଲୁଲୁ ଏହମ୍ମଦ, ଶିବନ ମୁସରଫ, ସୌମେନ୍ଦ୍ର ମହାନ୍ତି, ମାନସ ସେଠୀ, ସଂଜୟ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।