ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗକୁ ରାହାସ ପୂର୍ଣ୍ଣମୀରେ ପ୍ରସିଦ୍ଧ ଶୈବପୀଠ ଆରଡି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭିଡ ହେବା ଆଶଙ୍କା କରି ଆଜି ଉପଜିଲ୍ଲାପାଳ ଆରଡି, ଆଖଣ୍ଡଳମଣି ପୀଠ ସମେତ ଶିବଗଙ୍ଗା ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି । ଏହା ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ବାବା ମଣିଙ୍କ ମନ୍ଦିରରେ ସାଧାରଣ ପୂଜା ବନ୍ଦ ରହିବ । ପ୍ରତିଦିନ ଜଣେ ମାତ୍ର ସେବାୟତ ମନ୍ଦିରରେ ବାବାଙ୍କ ନୀତିକାନ୍ତି ଅନୁଯାୟୀ ପୂଜା କରିବେ । ଜନ ସାଧାରଣ କାର୍ତ୍ତିକ ପୂର୍ଣ୍ଣମୀ ବା ରାହାସ ପୂର୍ଣ୍ଣମୀରେ ଲୋକମାନେ ଘରେ ରହି ପାଳନ କରିବେ । ବୋଇତ ବନ୍ଦାଣ ବା ଡଙ୍ଗାଭସାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ମନ୍ଦିର ବେଢା କିମ୍ବା ଏହାର ପାଶ୍ୱର୍ବର୍ତ୍ତ ଅଞ୍ଚଳରେ କୌଣସି ପ୍ରକାରର ଭିଡ ହୋଇ ପାରିବ ନାହିଁ । ଧର୍ମାନୁଷ୍ଠାନ କେବଳ ୭ ଜଣରେ ସୀମିତ ରହିବେ । ଏଥିରେ ପୂଜକ ଏବଂ କର୍ତ୍ତା ସାମିଲ ରହିବେ । ସେହିପରି କୌଣସି ଧର୍ମାନୁଷ୍ଠାନରେ ମାଇକ୍ ବଜାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସବୁ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରହିବା ସହିତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଏହାର କଡାକଡି ପାଳନ ଉପରେ ନଜର ରଖିବାକୁ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦିଆ ଯାଇଛି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ବାବା ମଣିଙ୍କ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ । ବିଶେଷ କରି ପଞ୍ଚକ ବ୍ରତ ଆରମ୍ଭରୁ ହବିଷ୍ୟାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ଭିଡ ହୋଇଥାଏ । ଚଳିତ ବର୍ଷ ପଞ୍ଚକ ବ୍ରତର ଅବ୍ୟବହିତ ପୂର୍ବରୁୁ ୧୪୪ ଧାରା ଜାରି କରାଯାଇଛି । ଏହା ପୂର୍ଣ୍ଣମୀ ତଥା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦିଆ ଯାଇଛି । ଏହାର ଉଲଂଘନ ହେଲେ କୋବିଡ଼ ଆଇନ ଅନୁଯାୟୀ ଦଣ୍ଡ ବିଧାନ ହୋଇପାରେ ବୋଲି ମଧ୍ୟ କୁହାଯାଇଛି ।