Odiapua.com

ରାସ୍ତା ମଝିରେ ବିଦ୍ୟୁତ୍ ଟ୍ରାନ୍ସଫରମର ଥିବାନେଇ ବିପଦରେ ଜନସାଧାରଣ

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଳକ ଅନ୍ତର୍ଗତ ଦୋବଲ କାଳୀ ବଜାରରୁ ଗୋବିନ୍ଦାଗଡିଆ ଗେଙ୍ଗୁଟୀ ନଦୀବନ୍ଧ ନିକଟସ୍ଥ ବେଲମଳା ସ୍କୁଲ ପାଶ୍ୱର୍ରେ ଥିବା ବନ୍ଧ ମଝିରେ ଉଚ୍ଚ ଶକ୍ତି ସଂପନ୍ନ ୧୧କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି। ଯାହାକି ପୁରୁଣା ଲୁହା ଖୁଣ୍ଟ ରହିଛି। ବନ୍ଧର ଉଚ୍ଚତା ଓ ଚଉଡା ବୃଦ୍ଧି ଯୋଗୁଁ ଏବେ ଏହି ୧୧କେଭି ତାର ତଳକୁ ହୋଇଯିବା ସହିତ ବନ୍ଧର ମଧ୍ୟ ଭାଗକୁ ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର ରହିଛି। ଯାହାଫଳରେ ଏହି ବନ୍ଧରେ ଯାତାୟତ କରୁଥିବା ବଡବଡ ଗାଡି ଏବଂ ସାଧାରଣ ଲୋକ ବିଭିନ୍ନ ସମୟରେ ବିପଦକୁ ସମ୍ମୁଖୀନ କରୁଛନ୍ତି। ସେହିପରି ଏହି ନଦୀବନ୍ଧର ନନ୍ଦିପୁର ନିକଟରେ ବନ୍ଧ ମଝିରେ ୩ଟି ଟ୍ରାନ୍ସଫର୍ମର ଓ ପ୍ରାୟ ୧୨ଟି ସ୍ଥାନରେ ୧୧କେଭି ବିଦ୍ୟୁତ ତାର ଯାଇଛି। ସେହିପରି ଅନେକ ସ୍ଥାନରେ ନଦୀବନ୍ଧ ଉପରେ ଏଲଟି ଲାଇନ ତାର ଯାଇଛି। ଏବେ ବନ୍ଧର ଉଚ୍ଚତା ବଢିବାରୁ ସେହି ତାର ଓ ଖୁଣ୍ଟି ନୁଆଣିଆ ହୋଇ ବିପଦ ସଂକୁଳ ଅବସ୍ଥାକ୍ଷରେ ରହିଛି। ଏହି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ଖୁଣ୍ଟି କିମ୍ବା ତାରକୁ ସ୍ଥାନାନ୍ତରିତ କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷେ ଜଳସେଚନ ବିଭାଗ ଓ ବିଦ୍ୟୁତ ବିଭାଗର ତାଳମେଳ ଠିକ୍ ରହୁନଥିବାରୁ ଆଜି ପର୍ଯ୍ୟନ୍ତ ସମଶ୍ୟାର ସମାଧାନ ହୋଇପାରୁନାହିଁ। ମଧ୍ୟରେ କେବଳ ଚିଠି ନିଆଦିଆରେ କାମ ଅଟକିଛି। ଉଭୟ ଉଭୟଙ୍କୁ ଚିଠି କରି ଚୁପ୍ ହୋଇ ବସି ରହିଛନ୍ତି। ଏହି ସବୁ କାର୍ଯ୍ୟ ପାଇଁ କେଉଁ ବିଭାଗ ଅର୍ଥ ବ୍ୟୟ ବରାଦ କରିବ ତାହାକୁ ନେଇ ଉଭୟ ବିଭାଗ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସ୍ଥାନୀୟ ଲୋକ ପ୍ରତି ମୂହୂର୍ତ୍ତରେ ବିପଦକୁ ସମ୍ମୁଖୀନ କରୁଛନ୍ତି। ନିକଟରେ ଦୋବଲ ବଜାରସ୍ଥିତ ଗେଙ୍ଗୁଟୀ ନଦୀରେ ଏକ ପକ୍କା ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜଣେ ଶ୍ରମିକ ୧୧କେଭି ବିଦ୍ୟୁତ ତାର ସଂର୍ଶ୍ପରେ ଆସି ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଏହିସବୁ ଘଟଣାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକେ ବାରମ୍ବାର ଉଭୟ ବିଭାଗକୁ ଅବଗତ କରିଥିଲେ ମଧ୍ୟ କେହିଁ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ୧୧କେଭି ଟ୍ରାନ୍ସଫର୍ମର ଓ ତାର ସ୍ଥାନାନ୍ତରିତ ପାଇଁ ଜଳସେଚନ ବିଭାଗକୁ ଏସ୍‌ଟିମେଣ୍ଟ କରି ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ବିଭାଗ କୌଣସି ଉତ୍ତର ଦେଇନଥିବା ବିଦ୍ୟୁତ ବିଭାଗ ପ୍ରକାଶ କରିଛି। ଏଣୁ ତୁରନ୍ତ ଉକ୍ତ ସମଶ୍ୟାର ସମାଧାନ କରିବା ସହିତ ଉକ୍ତ ଟ୍ରାନ୍ସଫରମରକୁ ଅନ୍ୟତ୍ର ଉଠାଇବାକୁ ସାଧାରଣରେ ଦାବି ହେଉଛି।