Odiapua.com

ରାସ୍ତା ପୁନଃ ନିର୍ମାଣ ପାଇଁ ଟାୟାର ଜାଳି ରାସ୍ତାରୋକ କଲେ ଗ୍ରାମବାସୀ

ସାଲେପୁର : ୩୦/୦୯ (ଓଡ଼ିଆ ପୁଅ/ଅଭୟ ଜେନା) ରାସ୍ତାର ପୁନଃ ନିର୍ମାଣ ଦାବି କରି ଟାୟାର ଜାଳି ରାସ୍ତାରୋକ କଲେସାଧାରଣ ଲୋକେ। ତହସିଲଦାର ଓ ବିଡ଼ିଓଙ୍କୁ ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ଚଲେଇ ଚଲେଇ ନେଲେ। ଘଟଣା ଘଟିଛି, କଟକ ଜିଲ୍ଲା ସାଲେପୁର ବ୍ଲକ ଚାରମାଣିଆରେ। ପିକୋଳ ପଂଚାୟତର ମାଣିତ୍ରୀ-କେରେଙ୍ଗା ରାସ୍ତା ଦୀର୍ଘଦିନ ଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବାରମ୍ବାର ପଞ୍ଚାୟତବାସୀ ଏନେଇ ଲିଖିତଭାବେ ବିଭଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେହେଁ କୌଣସି ସୁଫଳ ମିଳିନଥିଲା। ଏଣୁ ବାଧ୍ୟ ହୋଇ ପଞ୍ଚାୟତବାସି ଓ ପିକୋଳ ବିକାଶ ପରିଷଦର ସଦସ୍ୟମାନେ ମିଳିତଭାବେ ଏଭଳି ଆନ୍ଦୋଳନ କରିବା ସହ ଚାରମାଣିଆ ବଜାରରେ ସାଲେପୁର-କୁଆଁପାଳ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ଅବରୋଧ କରିବା ପରେ ସାଲେପୁର ପୋଲିସ ସହ ଉଭୟ ତହସିଲଦାର ଓ ବିଡ଼ିଓ ଜଣକପରେ ଜଣେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସମୟରେ ସେମାନେ ତାଙ୍କୁ ଉକ୍ତ ରାସ୍ତାରେ ଚାଲିଚାଲି ଯାଇ ସ୍ଥିତି ଦେଖିବାକୁ କହିବାରୁ ଉଭୟ ଅଫିସର ରାସ୍ତାରେ ଯାଇଁ ସ୍ଥିତି ନିରୀକ୍ଷଣ କରିବା ସହ ଖୁବ ଶୀଘ୍ର ଏହି ରାସ୍ତାର ମରାମତି କରାଯିବା କଥା ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।