Odiapua.com

ରାସ୍ତା ନିର୍ମାଣରେ ଅନିୟମିତତା, ଲୋକେ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଛତାବର-ନିଳୋକ ପୁର୍ତ୍ତରାସ୍ତା ନିର୍ମାଣରେ ଅନିମୟତତା ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ୨୫ କୋଟି ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ରାସ୍ତାରେ ନିମ୍ନମାନର ଉପକରଣ ଉପଯୋଗ କରାଯିବା, କମ୍ପ୍ରେସିଙ୍ଗି, ପିଚୁକରଣ ଆଦି ମନମୁଖି ଭାବେ ଠିକାସଂସ୍ଥା କରୁଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ରାସ୍ତାର ଅଟକଳ ମୁତାବକ ଉଚ୍ଚତା ଓ ପ୍ରସ୍ଥ ନିର୍ମାଣ କରାଯାଉ ନାହିଁ । ଏହାକୁ ବିଭାଗୀୟ ଅଧିକାରୀମାନେ ଗ୍ରହଣ କରିନେଉଥିବାରୁ ସାଧାରଣ ଲୋକେ ବିଭାଗ ଉପରୁ ଆସ୍ଥା ହରାଉଛନ୍ତି । ଏହାଦ୍ୱାରା ଜନସାଧାରଣ ଏକ ଉନ୍ନତ ରାସ୍ତା ଅଧିକାର ହରାଉଛନ୍ତି ବୋଲି ଅଭିଯୋଗ କରି ରାଜ୍ୟମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଚନ୍ଦ୍ରଶେଖର ରାଉତ ପ୍ରମୁଖ ବହୁ ଅଭିଯୋଗକାରୀଙ୍କ ସ୍ୱାକ୍ଷର ସମ୍ବଳିତ ଅଭିଯୋଗ ରାଜ୍ୟମାନବିକ ଅଧିକାର କମିଶନଙ୍କ ଠାରେ ଦାଖଲ କରାଯାଇ ଉପଯୁକ୍ତ ତଦନ୍ତ ଦାବି କରାଯାଇଛି ।